banner
Breaking

ସରକାରୀ ଡାକ୍ତରଖାନାରେ ଛୁଟିଦିନରେ ଖୋଲା ରହିବ ଓଟି

0

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ଏଣିକି ଛୁଟିଦିନରେ ମଧ୍ୟ ଅସ୍ତ୍ରୋପଚାର ଗୃହ (ଓଟି) ଖୋଲା ରହିବ। ଫଳରେ ଜରୁରିକାଳୀନ ଚିକିତ୍ସା ସେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବହୁ ଗରିବ ପରିବାର ଉପକୃତ ହୋଇପାରିବେ। ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ସମସ୍ତ ରବିବାର ଓଟି ଖୋଲା ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡିଏମ୍‌ଇଟି ଏବଂ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

ଛୁଟି ଦିନଗୁଡ଼ିକରେ ଓଟି ବନ୍ଦ ରହୁଥିବାରୁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଥିବା ଗରିବ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସେମାନେ ଘରୋଇ ହସ୍ପିଟାଲକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏଥିସହ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଫଳପ୍ରଦ ହୋଇପାରୁ ନାହିଁ, ଯାହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିବା ଚିଠିରେ ଉଲ୍ଲେଖ ରହିଛି। ଯେଉଁଠାରେ ଜଣେରୁ ଅଧିକ ବିଶେଷଜ୍ଞ ରହିଛନ୍ତି, ସେଠାରେ ଛୁଟିଦିନଗୁଡ଼ିକରେ ଓଟି ଖୋଲା ରଖିବା ନିମନ୍ତେ ସମସ୍ତ ଜିଲା ଚିକିତ୍ସାଧିକାରୀ ଏବଂ ପିଏଚ୍‌ଓଙ୍କୁ ନିର୍ଦ୍ଦେଶ ଦେବା ପାଇଁ କୁହାଯାଇଛି। ତେବେ ଜରୁରିକାଳୀନ ସ୍ଥିତି ପାଇଁ ପ୍ରତି ଛୁଟିଦିନରେ ଓଟି ଖୋଲା ରହିବ। ତେବେ ଜାତୀୟ ମେଡିକାଲ କମିଶନ(ଏନ୍‌ଏମ୍‌ସି)ଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଏ ସମସ୍ତ ପଦବୀ ପୂରଣ ନ ହେବା ପର୍ଯ୍ୟନ୍ତ ଧାର୍ଯ୍ୟ ମାନବ ସମ୍ବଳରେ ଏହି ସେବା ଜାରି ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.