banner
Breaking

ଆର୍ଜେଣ୍ଟିନା ହାତେଇଲା ଜୁନିୟର ହକି ବିଶ୍ବକପ୍

0

ଭୁବନେଶ୍ୱର, ୫।୧୨(ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ (୨୧ ବର୍ଷରୁ କମ୍‌)ର ସଫଳ ଏବଂ ସୁରକ୍ଷିତ ପରିସମାପ୍ତି ଘଟିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଜର୍ମାନୀକୁ ୪-୨ ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ବିଜୟୀ ଦଳର ଲୌଟାରୋ ଡୋମେନେ ହ୍ୟାଟ୍ରିିକ ଗୋଲ ଦେଇ ହିରୋ ବିବେଚିତ ହୋଇଥିଲେ। ଆର୍ଜେଣ୍ଟିନା ପୂର୍ବରୁ ୨୦୦୫ରେ ଚାମ୍ପିୟନ ହୋଇଥିଲା। ତେଣୁ ୧୬ ବର୍ଷ ବ୍ୟବଧାନରେ ଦଳ ପୁଣି ଟାଇଟଲ ସ୍ବାଦ ଚାଖିଛି। ଅନ୍ୟପକ୍ଷରେ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ଜର୍ମାନୀ ଏଥର ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। ପୂର୍ବରୁ ଜର୍ମାନୀ ୧୯୮୨, ୧୯୮୫, ୧୯୮୯, ୧୯୯୩, ୨୦୦୯ ଓ ୨୦୧୩ରେ ସର୍ବାଧିକ ୬ ଥର ଚାମ୍ପିୟନ ହୋଇଥିବାବେଳେ ୧୯୭୯ରେ ରନର୍ସଅପ୍‌ ହୋଇଥିଲା। ପୂର୍ବରୁ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ଭାରତ ୧-୩ ଗୋଲରେ ଫ୍ରାନ୍ସ ନିକଟରୁ ହାରି ଅଳ୍ପକେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲା। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ଚାମ୍ପିୟନ ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ଓ ଟ୍ରଫି ପ୍ରଦାନ କରିଥିଲେ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଅନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ନରିନ୍ଦର ଧ୍ରୁବ ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନଙ୍ଗମବାମ୍‌, ମହାସଚିବ ରାଜିନ୍ଦର ସିଂ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ, ରାଜ୍ୟ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ହକି ପ୍ରମୋଶନ କାଉନସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ରୌପ୍ୟ, ବ୍ରୋଞ୍ଜ ଏବଂ ଅନ୍ୟ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କୃତ ଦଳର ଖେଳାଳିଙ୍କୁ ପଦକ, ସ୍ମାରକୀ ଏବଂ ଟୋପି ପ୍ରଦାନ କରାଯାଇଥିଲା। ଫ୍ରାନ୍ସ ଦଳର ଅଧିନାୟକ ଟିମୋଥି କ୍ଲିମେଣ୍ଟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବ ଶେଷରେ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.