banner
Breaking

ହିରାକୁଦରୁ ଛଡାହେଲା ପ୍ରଥମ ବନ୍ୟାଜଳ।

0

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ଲଗାଣ ବର୍ଷା ଯୋଗୁଁ ମହାନଦୀରେ ହୀରାକୁଦରେ ପାଣି ବିପଦସଙ୍କେତ ଟପିବାରୁ ବୁଧବାର ପୂର୍ବହ୍ଣ ୧୧.୨୪ ମିନିଟରେ ଗୋଟିଏ ଗେଟ ଖୋଲା ଯାଇଛି । ଦୀରାକୁଦର ୭ନମ୍ବର ଗେଟ ଖୋଲିଥିବା ବେଳେ ସେଥିରୁ ପ୍ରତି ସେକେଣ୍ଡରେ ୬୧୮ ଘନଫୁଟ ଜଳ ନିଷ୍କାସନ ହେଉଛି । ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।
ସେହିପରି ଲଗାଣ ବର୍ଷା ଯୋଗୁ ରାଜ୍ୟର ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଉ ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଅଦ୍ୟାବଧି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୪୧୬୭୫ଜଣ ଲୋକଙ୍କୁ ୧୧୫ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ତେବେ ବୁଧବାର ହୀରାକୁଦ ଗେଟ ଖୋଲିବା ପରେ ମହାନଦୀରେ ବନ୍ୟା ଆସିବା ସମ୍ଭାବନା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ୧୫ଟି ଜିଲ୍ଲାରେ ୧୮ଟି ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି। ତେବେ ବନ୍ୟା ମଧ୍ୟମ ଧରଣର ରହିବ ଓ ଏଥିପାଇଁ ଭୟଭୀତ ହେବାର ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଥିବାରୁ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଡ଼ଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡା ଓ ବୌଦ୍ଧ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁ ଏବେ ବଲାଙ୍ଗୀର, କନ୍ଧମାଳ, ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାର ମୋଟ ୨ଲକ୍ଷ ୫ହଜାର ୫୫୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବଲାଙ୍ଗୀରର ୫ଟି ବ୍ଲକ ଓ ୫ଟି ପୌରାଞ୍ଚଳରେ ମୋଟ ଦେଢ଼ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୯ଟି ଆଶ୍ରୟସ୍ଥଳୀରେ ୧୬,୩୯୭ଜଣ ଲୋକ ଆଶ୍ରୟ ନେଇଛନ୍ତି। ସେହିଭଳି କନ୍ଧମାଳ ଜିଲ୍ଲାର ୩ଟି ବ୍ଲକ ଓ ୧ଟି ସହରାଞ୍ଚଳରେ ମୋଟ ୩୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବୌଦ୍ଧ ଜିଲ୍ଲାର ଗୋଟିଏ ବ୍ଲକରେ ୧୮୫୦୦ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ୧୫ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହପରି ବରଗଡ଼ରେ ୨୫୦ଜଣ, ସୁବର୍ଣ୍ଣପୁରରେ ୫୭୮୮ଜଣ, କଳାହାଣ୍ଡିରେ ୮୯୨ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।
ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହେଉଥିବାରୁ ୧୫ତାରିଖ ସକାଳ ୬ଟାରୁ ୧୦ଟା ମଧ୍ୟରେ ମୁଣ୍ଡୁଳିଠାରେ ପ୍ରାୟ ୧୧.୫ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ। ଯାହାର ପ୍ରଭାବରେ କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥିତି ଉପରେ ସତର୍କ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ଆଲର୍ଟ ରଖାଯାଇଛି ଓ ସବୁପ୍ରକାରର ପୂର୍ବ ପ୍ରସ୍ତୁତି ନିମନ୍ତେ କଡ଼ା ତାଗିଦ୍ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ସ୍ଥିତି ଯୋଗୁ ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ସହ ନଦୀକୂଳିଆ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.