banner
Breaking

ଆଜି ପୂଜା ପାଇବେ ମା ଗଜଲକ୍ଷ୍ମୀ।

0

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଆଜି ଧରାବତରଣ କରିବାକୁ ଯାଉଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ଧନଧାନ୍ୟରେ ଜନମାନସକୁ ସମୃଦ୍ଧି କରିବାକୁ ପ୍ରତିବର୍ଷ ଧରାପୃଷ୍ଠକୁ ଓହ୍ଲାଇଥାନ୍ତି ମା’ ଗଜଲକ୍ଷ୍ମୀ। ଏନେଇ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିଳ୍ପୀମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଇସାରିଥିବାବେଳେ ସହରରେ ଶୋଭାପାଉଛି ଆକର୍ଷଣୀୟ ତୋରଣ। ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପରେ ପରିବେଶ ସଚେତନ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ଗଜଲକ୍ଷ୍ମୀ ପୂଜାମଣ୍ଡପଭାବେ ପରିଚିତ ଲକ୍ଷ୍ମୀସାଗର ଗଜଲକ୍ଷ୍ମୀ ପୂଜା ସମିତି ଚଳିତବର୍ଷ ୨୯ବର୍ଷରେ ପଦାର୍ପଣ କରିଛି। ଏଥର ୭୦ଫୁଟ ଉଚ୍ଚତା ଓ ୮୦ ଫୁଟ ଓସାର ବିଶିଷ୍ଟ ଲଣ୍ଡନର ବଙ୍କିମ୍‌ ହୋମ୍‌ ପ୍ୟାଲେସ୍‌ ସଦୃଶ ତୋରଣ ଏଠାରେ ନିର୍ମାଣ କରାଯାଇଛି। ପ୍ରଥମଥର ପାଇଁ ଏଠାରେ ମା’ଙ୍କୁ ୬ କେଜିର ଚାନ୍ଦି ମୁକୁଟ ଓ ହାର ଅର୍ପଣ କରାଯିବ। ୧୩ ତାରିଖରୁ ପୂଜା ଆରମ୍ଭ ହୋଇ ୧୯ ପର୍ଯ୍ୟନ୍ତ ଚାଲିବ ଏବଂ ୨୦ରେ ବିସର୍ଜନ କରାଯିବ। ୭ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ପ୍ଲାଷ୍ଟିକ୍‌ ବ୍ୟାନ୍‌ ପ୍ରତି ଲୋକଙ୍କୁ ସଚେତନ କରାଯିବ। ସେହିଭଳି ଚନ୍ଦ୍ରଶେଖରପୁର ବ୍ୟବସାୟୀ ସଙ୍ଘ ପକ୍ଷରୁ ଦୀର୍ଘ ୨୯ ବର୍ଷ ଧରି ହାଉସି°ବୋର୍ଡ କଲୋନି ଠାରେ ପାଳିତ ହୋଇଆସୁଛି ମାଙ୍କ ପୂଜା। ୧୦ ଦିନ ଧରି ଚାଲୁଥିବା ଏହି ପୂଜାରେ ବହୁତ ଭିଡ ଜମେ। ମୀନାବଜାର ସାଙ୍ଗକୁ ରାମ ଦୋଳିର ମଜା ନିଅନ୍ତି ଲୋକମାନେ। ସେହିପରି ବିଜେବି ନଗରସ୍ଥିତ ମହାବୀର ଯୁବକ ସଂଘ ପକ୍ଷରୁ ସ୍ବତନ୍ତ୍ର ଥିମ୍‌ ତୋରଣ ନିର୍ମାଣ କରାଯିବ। ତୋରଣ ଜରିଆରେ ଲୋକଙ୍କୁ ପ୍ଲାଷ୍ଟିକ୍‌ ବର୍ଜନ ଓ ଜଳ ସଂରକ୍ଷଣ ଆଦି ସଚେତନତା ବାର୍ତ୍ତା ଦିଆଯିବ। ବର୍ଷାଜଳକୁ କିପରି ସଂରକ୍ଷଣ କରାଯାଇପାରିବ ତାହା ଏଠାରେ ପ୍ରଦର୍ଶିତ କରାଯିବ। ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେହିଭଳି ବାପୁଜୀ ନଗର ୟୁଥ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୫୪ବର୍ଷରେ ପଦାର୍ପଣ କରିଥିବାବେଳେ ଏଠାରେ ଏଥର ମା’ଙ୍କ ମୂର୍ତ୍ତି ବାହାରୁ ଅଣାଯାଇ ସ୍ଥାପନା କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ତୋରଣ ଏଠାକାର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିବ। ନୟାପଲ୍ଲୀ ଯୁବ ପରିଷଦ ପକ୍ଷରୁ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାରେ ଚଳିତବର୍ଷର ଆକର୍ଷଣ ରହିବ ରାଜସ୍ଥାନୀ ମନ୍ଦିର ସାଙ୍ଗକୁ ମା’ଙ୍କ ୨କେଜିର ରୁପା ମୁକୁଟ, ମଥାମଣି ଓ ହାର। ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୭ବର୍ଷରେ ପଦାର୍ପଣ କରିଥିବା ୟୁନିଟ୍‌-୩ ଖାରବେଳନଗର ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପକ୍ଷରୁ ଆୟୋଜିତ ମା’ ଧନଦାତ୍ରୀଙ୍କ ପୂଜାରେ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାରେ ଅବଦାନ ପାଇଁ ବିଏମ୍‌ସିର ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହାଛଡ଼ା ପୁରୁଣା ଷ୍ଟେସନବଜାର, ଭିଏସ୍‌ଏସ୍‌ ନଗର, ୟୁନିଟ-୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦ, ବରମୁଣ୍ଡା, ଶିରିପୁର, ୟୁନିଟ୍‌-୬, ଅଶୋକନଗର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର,ନୀଳାଦ୍ରି, ବିହାର,ନୟାପଲ୍ଲୀ, ସିଆର୍‌ପି, ମଞ୍ଚେଶ୍ୱର, ଚକେଇସିହାଣି, ରସୁଲଗଡ଼, ୟୁନିଟ-୯, ପୁରୁଣା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ପୂଜାମଣ୍ଡପରେ ମା’ ବିରାଜିତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.