banner
Breaking

ଶିକ୍ଷିତ ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଯୋଜନା।

0

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶିକ୍ଷିତ ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାୟୋଫ୍ଲକ ପଦ୍ଧତି ମାଧ୍ୟମରେ ସଘନ ମାଛ ଚାଷ ପ୍ରୋତ୍ସାହନ ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟର ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବବର୍ଗ ଏବଂ ଆଗ୍ରହୀ ମତ୍ସ୍ୟଚାଷୀଙ୍କୁ ଜୀବିକା ଦେବା ସହ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ଏହି ନୂତନ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅଧିକ ଜମି ଓ ଜଳ ସମ୍ପଦ ଉପଯୋଗ ନ କରି ସୀମିତ ସ୍ଥାନରେ ମାଛ, ଚିଙ୍ଗୁଡ଼ି ଉତ୍ପାଦନ ଲକ୍ଷ୍ୟରେ ବାୟୋଫ୍ଲକ୍‌ ଏକ ନୂତନ ଜ୍ଞାନ କୌଶଳ। ସ୍ବଳ୍ପ ଜମି(୧୫୦ରୁ ୨୦୦ ବର୍ଗ ମିଟର ପରିମିତ ଜମି) ଏବଂ ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ପାଇପ ଜଳ କିମ୍ବା ନଳକୂପର ଜଳକୁ ଉପଯୋଗ କରି ଜଣେ ଚାଷୀ ସ୍ବଳ୍ପ ଅର୍ଥରେ ଏହି ପଦ୍ଧତିରେ ମାଛ ଚାଷ କରିପାରିବେ। ରୋଜଗାର ସୃଷ୍ଟି ତଥା ଜୀବିକା ସହାୟତା ଲକ୍ଷ୍ୟରେ ମତ୍ସ୍ୟଚାଷୀ ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏହା ଲାଭଦାୟକ ହୋଇପାରିବ।

ବାୟୋଫ୍ଲକ ପଦ୍ଧତି ସ୍ଥାନୀୟ ବଜାର ଚାହିଦା ଥିବା ମଧୁର ଜଳ ମାଛ ଯେପରି ଗିଫ୍‌ଟ ଟିଲାପିଆ, ମାଗୁର, ଜଳଙ୍ଗ, କଉ, ବିଲାତିି ରୋହି ଆଦି ମାଛ ଉତ୍ପାଦନ ନିମନ୍ତେ ଉପଯୁକ୍ତ। ବାୟୋଫ୍ଲକ କୁଣ୍ଡରେ ବର୍ଜ୍ୟ ଜୈବ୍ୟପଦାର୍ଥ ଯଥା ଅବ୍ୟବହୃତ ଖାଦ୍ୟକୁ ପ୍ରୋବାୟୋଟିକ ଏବଂ ତରଳ ଗୁଡ଼ ଭଳି ଅଙ୍ଗାର ଉତ୍ସର ମିଶ୍ରଣ ଦ୍ୱାରା ପୁନଃ ମାଛର ଖାଦ୍ୟ ରୂପେ ପ୍ରସ୍ତୁତ କରାଯାଇ ପାରିବ। ପ୍ରଚଳିତ ମାଛ ଚାଷ ପଦ୍ଧତିରେ ୧ ଏକର ପରିମିତ ପୋଖରୀରୁ ୬ ମାସରେ ୨ ହଜାର କିଲୋ ମାଛ ଉତ୍ପାଦନ କରାଯାଇ ପାରୁଥିବା ବେଳେ ମାତ୍ର ୧୫୦ରୁ ୨୦୦ ବର୍ଗ ମିଟର ମଧ୍ୟରେ ସମପରିମାଣର ମାଛ ଉତ୍ପାଦନ ହୋଇପାରିବ। ଏହା ଯେ କୌଣସି ଉଚ୍ଚସ୍ଥାନ, ଛାତ ଉପରେ କିମ୍ବା ଘର ପଛ ପାଖରେ ଥିବା ଖୋଲା ଜାଗାରେ ମଧ୍ୟ କରାଯାଇ ପାରିବ। ଦୁଇଟି ବାୟୋଫ୍ଲକ କୁଣ୍ଡ ପାଇଁ ୧.୫୦ ଲକ୍ଷ ଟଙ୍କା ଏବଂ ୬ଟି କୁଣ୍ଡ ପାଇଁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ରାଜ୍ୟ ସରକାର ୪୦ ପ୍ରତିଶତ ରିହାତି ଯୋଗାଇ ଦେବା ବ୍ୟବସ୍ଥା ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ୬୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.