banner
Breaking

ଅଭିନେତା ଅଜିତ ଦାସଙ୍କ ପରଲୋକ।

0

ଭୁବନେଶ୍ୱର,୧୩।୯(ଓଡ଼ିଆ ନ୍ୟୁଜ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଅଜିତ ଦାସ ପରପାରିକୁ ଚାଲିଯାଇଥିବା ସୂଚନା ମିଳିଛି। ଆଜି
ଅପରାହ୍ନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। କିଛି ଦିନ ତଳେ କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଜଣେ ନିଖୁଣ ମଞ୍ଚ ଅଭିନେତା ମଧ୍ୟ ଥିଲେ। ତାଙ୍କ ପରଲୋକରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦେଶକ  ତଥା ବିଭିନ୍ନ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅଜିତ୍‌ ଦାସ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ବେଶ୍‌ ଜଣାଶୁଣା। ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର’ ପ୍ରତିଷ୍ଠା କରି ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ।

ଅଜିତ୍‌ ଦାସ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ। ଅଜିତ ଛୋଟ ବେଳରୁ ନାଟକ ସହିତ ଜଡିତ ଥିଲେ। ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।

ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ‘ସିନ୍ଦୂର ବିନ୍ଦୁ’ କଥାଚିତ୍ରରେ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ। ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କଥାଚିତ୍ର ବ୍ୟତି ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ ଥିଲେ। ସେ ଅଭିନୟ ଜାଗୃତି ଇନଷ୍ଟିଉଟ ଅଫ ଥିଏଟର ‘ଅଜିତ’ ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରୁଥିଲେ। ‘କେବେ ତମେ ନାହଁ କେବେ ମୁଁ ନାହିଁ’-୨୦୧୨, ‘କୁଳ ଚନ୍ଦ୍ରମା’-୧୯୭୮, ‘ପୁନର୍ମିଳନ’-୧୯୭୭, ‘ଆହୁତି’-୧୯୭୭, ‘ସନ୍ଧ୍ୟା ତାରା’-୧୯୭୭, ‘ସିନ୍ଦୂର ବିନ୍ଦୁ’-୧୯୭୬ ଆଦିରେ ଅଜିତ୍‌ ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକୀୟ ଆଦୃତି ଲାଭ କରିଛି। ମଞ୍ଚ, ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ତାଙ୍କର ଅଭିନୟକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା ସାଉଁଟିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.