banner
Breaking

ଫେମିନା ୨୦୨୧ ରେ ଓଡ଼ିଆ ବୋହୁ।

0

ଭଦ୍ରକ, ୨୫।୩: ସାରା ଭାରତବର୍ଷର ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଟପ୍‌ ୨୦ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ବୋହୂ ଈପ୍‌ସିତା ପ୍ରିୟଦର୍ଶିନୀ(୨୭)। ପେସାରେ ସଫ୍ଟଓ୍ବେୟାର ଇଞ୍ଜିନିୟର ହୋଇଥିଲେ ହେଁ ମଡେଲିଂ ନିଶା ତାଙ୍କୁ ମିସେସ୍‌ ଫେମିନା କଣ୍ଟେଷ୍ଟର ଟପ୍‌ ୨୦ରେ ପହଞ୍ଚାଇଛି। ଅନ୍‌ଲାଇନରେ ହୋଇଥିବା ଏହି ପ୍ରତିଯୋଗିତାରେ ଏବେ ଟପ୍‌ ୧୦ରେ ପହଞ୍ଚିବା ପାଇଁ ସେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ସାହୁଙ୍କ ଝିଅ ଈପ୍‌ସିତା। ବାପା ପ୍ରଶାସନିକ ଅଧିକାରୀ ଓ ମା’ ବବିତା ମହାନ୍ତି ଜଣେ ଗୃହିଣୀ। କିନ୍ତୁ ଝିଅର ପିଲାବେଳୁ କଳା ପ୍ରତି ଅହେତୁକ ଆକର୍ଷଣ ତାଙ୍କୁ ଏବେ ଏହି ସଫଳତାରେ ପହଞ୍ଚାଇଛି। ତାଙ୍କ ଘର କଟକ ସହର ମଙ୍ଗଳାବାଗ ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ବିବାହ କରିଛନ୍ତି। ସ୍କୁଲ ପ୍ରତିଯୋଗିତାରୁ ଆରମ୍ଭ କରି ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ମିସେସ୍‌ ଫେମିନା ପ୍ରତିଯୋଗିତାରେ ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ନିଜ ସ୍ଥାନ ଅକ୍ତିଆର କରିଥିବା ବେଳେ ୪ର୍ଥ ରାଉଣ୍ଡରେ ଭୋଟିଂ ପର୍ଯ୍ୟାୟରେ ଅଛନ୍ତି। ଓଡ଼ିଶାବାସୀଙ୍କ ଭୋଟ୍‌ ମିଳିଲେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ନିଜ ସ୍ଥାନ ରଖିପାରିବେ ଏବଂ ଓଡ଼ିଆ ଝିଅ ତଥା ବୋହୂ ହିସାବରେ ଓଡ଼ିଶା ପାଇଁ ସୁନାମ ଆଣିପାରିବେ ବୋଲି କୁହନ୍ତି।
ସେ ୨୦୧୫ରେ ଜି ଟିଭିର ମିସ୍‌ ଏଥ୍‌ନିକରେ ପଞ୍ଚମ ସ୍ଥାନ ଅକ୍ତିଆର କରିବା ସହ ଇଣ୍ଡିଆ ସିଟି ଲାଇଟ ମିସେସ୍‌ ସୁପର ମଡେଲରେ ଦ୍ୱିତୀୟ ରନର୍ସଅପ୍‌ ହୋଇଥିଲେ। ସେହିବର୍ଷ ସାରଳା ପ୍ରତିଭା ସମ୍ମାନ ମଧ୍ୟ ପାଇଥିଲେ। ଏପରିକି ମରାଠୀ ଚଳଚ୍ଚିତ୍ର ‘ଥୋହ ଏକ ଆଜ୍‌’ରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ପାଠ ପଢ଼ିବା ବେଳେ ବିଦେଶରେ ମଧ୍ୟ ବହୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.