banner
Breaking

ଇପିଏଫ୍ଓ ବଢାଇବ ପେନସନ୍ ଟଙ୍କା

0

ନୂଆଦିଲ୍ଲୀ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି। ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆଗାମୀ ଦିନରେ ଇପିଏଫ୍‌ ହିତାଧିକାରୀଙ୍କ ସର୍ବନିମ୍ନ ପେନସନରେ ବୃଦ୍ଧି କରାଯିବାର ଯୋଜନା ଅଛି। ଫେବୃଆରୀରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ଅଛି।

କର୍ମଚାରୀଙ୍କ ପେନସନ ସ୍କିମ ବା ଇପିଏସ ଅନ୍ତର୍ଗତ ସର୍ବନିମ୍ନ ପେନସନ ବୃଦ୍ଧି କରାଯିବାର ଯୋଜନା ରହିଛି। ଫଳରେ ସର୍ବନିମ୍ନ ମାସିକ ପେନସନ୍‌ ୧,୦୦୦ ଟଙ୍କା ରୁ ୯,୦୦୦ ଟଙ୍କାକୁ ବୃଦ୍ଧି ହୋଇପାରିବ। ଏନେଇ ପୂର୍ବରୁ ପେନସନଭୋଗୀମାନେ ଦାବି କରିଆସୁଥିଲେ। ସେହିପରି ଏ ସମ୍ପର୍କରେ ବହୁ ରାଉଣ୍ଡ ଆଲୋଚନା ହୋଇସାରିଛି।

ସଂସଦର ଷ୍ଟାଣ୍ଡିଂ କମିଟିର ସୁପାରିଶକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। ଏହି ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଯେଉଁଥିରେ ନୂତନ ବେତନ ସଂକେତର କାର୍ଯ୍ୟକାରିତା ଏବଂ କର୍ମଚାରୀଙ୍କ ପେନସନ ସ୍କିମ ଅନ୍ତର୍ଗତ ସର୍ବନିମ୍ନ ପେନସନ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି।

ମାର୍ଚ୍ଚ ୨୦୨୧ରେ ସଂସଦର ଷ୍ଟାଣ୍ଡି କମିଟି ସର୍ବନିମ୍ନ ପେନସନ ରାଶି ୧,୦୦୦ ରୁ ୩,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ। ତେବେ ପେନସନଭୋଗୀମାନେ ଦାବି କରିଛନ୍ତି ଯେ, ପେନସନ ପରିମାଣକୁ ଅତି କମରେ ୯,୦୦୦ଟଙ୍କାକୁ ବୃଦ୍ଧି କରାଯିବା ଉଚିତ। ଏପରି ହେଲେ ଇପିଏସ୍‌-୯୫ ପେନସନଭୋଗୀମାନେ ଉପକୃତ ହୋଇପାରିବେ ବୋଲି ପେନସନଭୋଗୀମାନଙ୍କ ପକ୍ଷରୁ ଦାବି ହେଉଛି।

ଏନ୍ୟ ଏକ ପରାମର୍ଶରେ କୁହାଯାଇଛି ଯେ ଅବସର ପୂର୍ବରୁ କର୍ମଚାରୀଙ୍କ ଶେଷ ଦରମା ଅନୁଯାୟୀ ପେନସନ ସ୍ଥିର କରାଯିବା ଉଚିତ। ଏହି ପରାମର୍ଶକୁ ମଧ୍ୟ ହେବାକୁ ଥିବା ଶ୍ରମ ମନ୍ତ୍ରଣାଳୟର ବୈଠକରେ ବିଚାର କରାଯିବ ବୋଲି କୁହାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.