banner
Breaking

ଇସ୍ପାତ ଓ ଖଣି ବିଭାଗରେ ୬୫ ଜଣକୁ ନିଯୁକ୍ତି

0

ଭୁବନେଶ୍ୱର :ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୫-ଟି, ମୋ ସରକାର ଭଳି ଅଭିନବ କାର୍ଯ୍ୟକ୍ରମ କରିଛନ୍ତି। ଏସବୁ କେତେଦୂର ଆଶ୍ଚର୍ଯ୍ୟଚକିତ ଓ ଅଭିନବ କୌଶଳ ତାହା ବଡ଼ କଥା ନୁହେଁ। ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରିତା ହେଉଛି ଏହାର ସଫଳ ଉପଯୋଗ । ବିିଚାରବନ୍ତ, ସାଧୁତା ଓ ନିଷ୍ଠାପର ଭାବେ ଲୋକମାନଙ୍କ ଉପକାର ପାଇଁ ନିଜକୁ ସମର୍ପିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ପାତ ଓ ଖଣି ବିଭାଗର ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗରେ ୬୫ ଅଫିସରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଗୁରୁବାର ନବନିଯୁକ୍ତ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକମାନଙ୍କ ମଙ୍ଗଳ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ଉଦ୍ଦିଷ୍ଟ। ଖଣିଜ ପ୍ରଶାସନିକ ସେବା ଏବଂ ଭୂତତ୍ତ୍ୱ ସେବା ନିଜ ନିଜ କ୍ଷେତ୍ରରେ ସ୍ବତନ୍ତ୍ର। ମୂଲ୍ୟବାନ ଖଣିଜ ସମ୍ପଦର ସଂରକ୍ଷଣ ଓ ପରିଚାଳନା କରିବା ଉଭୟର କାର୍ଯ୍ୟ। ଏଥିପାଇଁ ଉପଯୁକ୍ତ ଜ୍ଞାନ ଓ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଖଣିଜ ପରିବହନ ପାଇଁ ଏକ ଉତ୍ତମ ତଦାରଖ ବ୍ୟବସ୍ଥା କରିଛନ୍ତି, ଯାହାକି ଦେଶରେ ଓଡ଼ିଶାକୁ ପ୍ରଶଂସା କରାଯାଉଛି। ଓଡ଼ିଶା ଖଣିଜ ନିୟମରେ ଏକ ନୂତନ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି। ରାଜ୍ୟର ଖଣିଜ ସମ୍ପଦରୁ ଅଧିକ ରାଜସ୍ବ ସଂଗ୍ରହ କରାଯାଉଛି, ଯାହାକି ଲୋକମାନଙ୍କ କଲ୍ୟାଣରେ ବିନିଯୋଗ ହେଉଛି। ଯୁବ ଓ ଦକ୍ଷ ଅଫିସରମାନଙ୍କ କଠିନ ପରିଶ୍ରମ ଯୋଗୁ ତାହା ସମ୍ଭବ ହୋଇପାରିବ। ଏହାର ଫାଇଦା ଜନସାଧାରଣଙ୍କ ନିକଟକୁ ଯିବ । ଆଜିର ଦିନ ଆପଣମାନଙ୍କ ଜୀବନରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଫିସରମାନଙ୍କୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ରାଜ୍ୟର ବିକାଶରେ ଖଣିକ୍ଷେତ୍ର ସବୁଠାରୁ ଅଧିକ ରାଜସ୍ବ ପ୍ରଦାନକରି ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ରାଜ୍ୟର ଖଣି କ୍ଷେତ୍ରକୁ ରୂପାନ୍ତରଣ କରିବାରେ ସହାୟକ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଖଣି ମେକ୍ଷତ୍ରର ଦ୍ରୁତ ଅଭିବୃଦ୍ଧିରେ ନବନିଯୁକ୍ତ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଯୋଜନା କରିଥିବା ବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି. କେ. ସିଂ ସ୍ବାଗତ ଭାଷଣ ଦେଇଥିଲେ। ଖଣି ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.