banner
Breaking

ପୁଣି ବଢିବ ବିଦ୍ୟୁତ ଦର

0

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ରାଜ୍ୟରେ ପୁଣି ଘରୋଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବୋଝ ପଡ଼ିବା ଆଶଙ୍କା ଦେଖାଦେଇଛି। ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆୟବ୍ୟୟର ହିସାବ ଦେଇ ବିଜୁଳି ଦର ବଢ଼ାଇବାକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ନିକଟରେ ଦାବି କରିଛି। କରୋନା ସମୟରେ ୨ ଥର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ହୋଇଥିବା ବେଳେ ପୁଣି ବୃଦ୍ଧି ପାଇଁ ବଣ୍ଟନ କମ୍ପାନୀ ଓଇଆର୍‌ସି ନିକଟରେ ଗୁହାରି କରିଛି। ମଙ୍ଗଳବାରଠାରୁ ଏ ନେଇ ଓଇଆର୍‌ସିଙ୍କ ନିକଟରେ ଶୁଣାଣି ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖ ଯାଏ ଓଇଆର୍‌ସି ନିକଟରେ ବିଭିନ୍ନ କମ୍ପାନୀର ଆବେଦନ ଉପରେ ଶୁଣାଣି ହେବ। ପ୍ରଥମ ଦିନରେ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ଆର୍‌ସି) ଏବଂ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)ର ଶୁଣାଣି କରାଯାଇଛି। ଆସନ୍ତା ୧୯ ତାରିଖରୁ ଟାଟା ପାଓ୍ବାର ବଣ୍ଟନ କମ୍ପାନୀ ଦେଇଥିବା ପ୍ରସ୍ତାବ ଉପରେ ଶୁଣାଣି କରାଯିବ। ଓଏଚ୍‌ପିସି ଓଇଆର୍‌ସି ନିକଟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୫୬୧୯.୨୪ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି।
ସୂଚନାଯୋଗ୍ୟ, ଘରୋଇ ଉପଭୋକ୍ତାଙ୍କୁ ୫୦ ୟୁନିଟ୍‌ ପର୍ଯ୍ୟନ୍ତ ୩ ଟଙ୍କା ଦେବାକୁ ପଡୁଛି। ଏହାପରେ ୫୦ରୁ ୨୦୦ ୟୁନିଟ୍‌ ପାଇଁ ୟୁନିଟ୍‌ ପିଛା ୪ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ପାଇଁ ୟୁନିଟ୍‌ ପିଛା ୫ଟଙ୍କା ୮୦ ଓ ୪୦୦ରୁ ଅଧିକ ପାଇଁ ୟୁନିଟ୍‌ ପିଛା ୬ ଟଙ୍କା ୨୦ ପଇସା ଦେବାକୁ ପଡୁଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, କମିଶନ ୟୁନିଟ୍‌ ପିଛା ୧୦ରୁ ୨୦ ପଇସା ବୃଦ୍ଧି କରିବା ସମ୍ଭାବନା ରହିଛି। ଏହି ଦର ବୃଦ୍ଧିକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.