banner
Breaking

ଇଲେକ୍ଟ୍ରିକ୍ ଯାନ ଉପରେ ମିଳିବ ଅଧିକ ରିହାତି

0

ଭୁବନେଶ୍ୱର : ଇଲେକ୍ଟ୍ରିକ୍‌ ଯାନ କିଣୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏହି ଯାନ କ୍ରେତାଙ୍କ ପାଇଁ ରିହାତି ହାରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ଇ-ଭେହିକିଲ୍‌ ପଲିସି-୨୦୨୧କୁ ଅଧିକ ଫଳପ୍ରଦ ତଥା ଇ-ଯାନ ପ୍ରତି ଲୋକମାନଙ୍କର ଆଗ୍ରକୁ ବଢ଼ାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ରିହାତି କେତେ ବୃଦ୍ଧି କରାଯିବ ସେ ନେଇ ଖୁବ୍‌ଶୀଘ୍ର ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ଯାନବାହନ ପ୍ରଦୂଷଣ ହ୍ରାସ କରିବାକୁ ରାଜ୍ୟ ସରକାର ଓଡ଼ିଶା ଇ-ଭେହିକିଲ ପଲିସି କାର୍ଯ୍ୟକାରୀ କରିଛନ୍ତି। ୨୦୨୧ ସେପ୍ଟେମ୍ବରରୁ ଏହି ନୀତି ଲାଗୁ କରାଯାଇଛି। ୨୦୨୫ ସୁଦ୍ଧା ରାଜ୍ୟରେ ଶତକଡା ୨୦ ପ୍ରତିଶତ ଇଲେକ୍ଟ୍ରିକ୍‌ ଯାନ ପଞ୍ଜୀକରଣ ଲକ୍ଷ୍ୟ ନେଇ ଉକ୍ତ ପଲିସି କାର୍ଯ୍ୟକାରୀ କରାଯାଇଛି। ଏହି ନୀତିରେ ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ ପାଇଁ ଉଭୟ ଉପଭୋକ୍ତା ଓ ଗାଡ଼ି ନିର୍ମାତାଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି। ଇ-ଯାନରେ ରାଜ୍ୟ ସରକାର ୧୫ ପ୍ରତିଶତ ରିହାତି ଦେଉଛନ୍ତି। ଦୁଇଚକିଆ ଯାନ ପାଇଁ ସର୍ବାଧିକ ୫ ହଜାର ଓ ୩ ଚକିଆ ପାଇଁ ୧୦ ହଜାର ଏବଂ ୪ ଚକିଆ ପାଇଁ ୫୦ ହଜାର ଟଙ୍କା ରିହାତି ଦେବା ବ୍ୟବସ୍ଥା ରହିଛି। ସେହିପରି ଇଲେକ୍ଟ୍ରିିକ୍‌ ବସ୍‌ ପାଇଁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦେବା ବ୍ୟବସ୍ଥା ରହିଛି।
ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାର ଅଗ୍ରିମ ଦେବାକୁ ଘୋଷଣା କରିଛନ୍ତି। ଯେଉଁ କର୍ମଚାରୀ ଇ-ଯାନ କିଣିବେ ସେମାନଙ୍କୁ ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ଅର୍ଥ ଆଗୁଆ ବା ଆଡ୍‌ଭାନ୍ସ ଆକାରରେ ଦିଆଯିବ। ଇଲେକ୍ଟ୍ରିକ୍‌ କାର ପାଇଁ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି କର୍ମଚାରୀଙ୍କୁ ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ଅର୍ଥାତ୍‌ ୧୫ ଲକ୍ଷ ଏବଂ ୨ ଚକିଆ ଯାନ ପାଇଁ ଗ୍ରୁପ୍‌-ସି ଓ ଡି କର୍ମଚାରୀଙ୍କୁ ଆଡ୍‌ଭାନ୍ସ ଆକାରରେ ଯାନମୂଲ୍ୟର ୭୫ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ଏହି ଆଡ୍‌ଭାନ୍ସ ଅର୍ଥ କର୍ମଚାରୀମାନଙ୍କ ଦରମାରୁ ୧୦୦ ମାସ ଇନ୍‌ଷ୍ଟାଲମେଣ୍ଟ ଆକାରରେ କଟାଯିବ। ଉପରୋକ୍ତ ନିଷ୍ପତ୍ତି ସହିତ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.