banner
Breaking

ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ, ୩ଟି ମେୟର ସିଟ ନେଇଗଲା ବିଜେଡି

0

ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।ବିଜୁ ଜନତାଦଳ ରାଜ୍ୟର ସମସ୍ତ ତିନୋଟି ଯାକ ମହାନଗର ନିଗମରେ ବାଜିମାତ୍ କରିଛି । ଏବେ ତିନୋଟି ଯାକ ମହାନଗର ନିଗମର ମେୟର ପଦ ବିଜେଡି ଦଖଲରେ ।

ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ବିଜେଡିର ସୁଲୋଚନା ଦାସ ବିଜୟୀ ହୋଇଛନ୍ତି । ସେହିପରି କଟକ ମହାନଗର ନିଗମର ମେୟର ଭାବେ ସୁବାସ ସିଂହ ବିଜୟୀ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ମେୟର ଭାବେ ଦଳର ସଂଘମିତ୍ରା ଦଳାଇ ବିଜୟୀ ହୋଇଛନ୍ତି।

ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ସେ ୬୧,୧୪୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୁଲେଚନାଙ୍କୁ ସର୍ବାଧିକ ଭୋଟ୍‌ ମିଳଥିବା ବେଳେ ଦ୍ୱିତୀୟ ସ୍ଥାନରେ  ବିଜେପିର ସୁନୀତି ମୁଣ୍ଡ ଏବଂ ତୃତୀୟ ସ୍ଥାନରେ  କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ରହିଛନ୍ତି।

ସେହିପରି କଟକ ମହାନଗର ନିଗମରେ କଂଗ୍ରେସର ଗିରିବାଳା ବେହେରାଙ୍କୁ ପରାସ୍ତ କରି ସୁବାସ ସିଂହ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ୪୫ ହଜାରରୁ ଅଧିକ ଭୋଟରେ ସୁବାସ ସିଂହ ବିଜୟୀ ହୋଇଥିବା ଜଣାପଡିଛି । ସୁବାସ ଚନ୍ଦ୍ର ସିଂହ ୧,୧୩,୫୬୨ ଭୋଟ ପାଇଥିବା ବେଳେ, କଂଗ୍ରେସର ଗିରିବାଳା ବେହେରା ୬୮,୩୫୬ ଓ  ବିଜେପିର ଶ୍ରୀତମ ଦାସ ୪୯,୨୨୩ ଭୋଟ ପାଇଛନ୍ତି। ସୁବାସ ସିଂହ ୪୫,୨୦୬ ଭୋଟ ବ୍ୟବଧାନରେ କଂଗ୍ରେସର ଗିରିବାଳା ବେହେରାଙ୍କୁ ପରାସ୍ତ କରିଛନ୍ତି।

ସେହିପରି  ବ୍ରହ୍ମପୁର ମହାନଗର ନିଗମରେ ବିଜେଡିର ସଂଘମିତ୍ରା ଦଳାଇ ବିଜୟୀ ହୋଇଛନ୍ତି। ସେ ବିଜେପିର ମେୟର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦, ୨୮୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ସଂଘମିତ୍ରା ଦଳାଇଙ୍କୁ ୬୬,୦୬୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିର  ସବିତା ସୁଆରଙ୍କୁ ୪୫,୭୮୨ ଖଣ୍ଡ ଭୋଟ୍‌ ମିଳିଛି । ଆମ୍‌ ଆଦମୀ ପ୍ରାର୍ଥିନୀ ସି. ପ୍ରିୟଙ୍କାଙ୍କୁ ୭୪୫୩ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିବାବେଳେ କଂଗ୍ରେସର ମଞ୍ଜୁ ରଥଙ୍କୁ ୬୭୬୮ ଖଣ୍ଡ ଭୋଟ୍‌ ପାଇ ଚତୁର୍ଥ ସ୍ଥାନରେ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.