banner
Breaking

ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଲା ପ୍ରସ୍ତୁତି

0

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ଓ ମେୟର ପ୍ରାର୍ଥୀମାନଙ୍କ ପ୍ରଚାର ସକାଶେ ଉପଯୋଗ ହେବାକୁ ଥିବା ଗାଡ଼ି ନିର୍ଦ୍ଧାରଣ କରିଛନ୍ତି। ମେୟର ପ୍ରାର୍ଥୀ ସର୍ବାଧିକ ୬ ଓ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ଟି ଗାଡ଼ି ପ୍ରଚାର ନିମନ୍ତେ ଉପଯୋଗ କରିପାରିବେ ବୋଲି କମିଶନର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମଙ୍ଗଳବାର ଜାରି ସୂଚନା ଅନୁସାରେ, ଆଗାମୀ ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର ପ୍ରାର୍ଥୀମାନେ ୩ ଚକିଆ ଓ ୪ ଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ୨ଟି ଗାଡ଼ି ବ୍ୟବହାର କରିପାରିବେ। ସେହିପରି ଏନ୍‌ଏସି ଓ ପୌର ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିନ୍ଦ୍ୱଦନ୍ଦ୍ୱିତା କରୁଥିବା ପ୍ରାର୍ଥୀ ସର୍ବାଧିକ ୪ଟି ତିନି ଚକିଆ ଓ ଚାରି ଚକିଆ ଗାଡ଼ି ବ୍ୟବହାର କରିପାରିବେ। ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକ ପ୍ରତ୍ୟେକ ମହାନଗର ନିଗମ ଓ ପୌର ପରିଷଦ ଅଞ୍ଚଳରେ ୨ଟି ଚାରିଚକିଆ ଗାଡ଼ି ଉପଯୋଗ କରିପାରିବେ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରାର୍ଥୀମାନଙ୍କୁ କେଉଁ ଧରଣର ଗାଡ଼ି ବ୍ୟବହାର କରିବେ, ଉକ୍ତ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ମାଲିକାନା ସମ୍ପର୍କରେ ତଥ୍ୟ ପ୍ରଥମେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ହେବ।
ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିଶନର ଫେବୃୟାରୀ ୬ରେ କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ଓ ମେୟର ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନୀ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଥିଲେ। ମହାନଗରର ମେୟର ପ୍ରାର୍ଥୀ ସର୍ବାଧିକ ୧୨ଲକ୍ଷ ଓ କର୍ପୋରେଟର ୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କମିଶନ ଅନୁମତି ଦେଇଛନ୍ତିି। ଯେଉଁ ପୌର ପରିଷଦର ଜନସଂଖ୍ୟା ୧ ଲକ୍ଷରୁ ଅଧିକ ସେଠାରେ ନିର୍ବାଚନ ଲଢୁଥିବା କାଉନସିଲର ୧ ଲକ୍ଷ ଏବଂ ପୌରାଧ୍ୟକ୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଯେଉଁ ପୌରାଞ୍ଚଳର ଜନସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ସେଠାରେ କାଉନସିଲର ୭୫ ହଜାର ଏବଂ ପୌରାଧ୍ୟକ୍ଷ ୩ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିପାରିବେ। ଯେଉଁ ବିଜ୍ଞାପିତ ଅଞ୍ଚଳଗୁଡ଼ିକର ଜନସଂଖ୍ୟା ୫୦ ହଜାରରୁ କମ୍‌ ସେଠାରେ କାଉନସିଲର ୫୦ ହଜାର ଏବଂ ଅଧ୍ୟକ୍ଷ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

Khansweb Solution Bhubaneswar

Leave A Reply

Your email address will not be published.