banner
Breaking

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ

0

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଫେବୃୟାରୀ ୧୬ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକର ୨୦୦ ଜିଲା ପରିଷଦ ଜୋନ୍‌ର ୧୬୬୯ ଗ୍ରାମପଞ୍ଚାୟତରେ ଜିଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ନିଜ ନିଜ ବୁଥ୍‌ରେ ପହଞ୍ଚିଛନ୍ତି। ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ।

ଭୋଟ ଦେବା ପାଇଁ ଜଣେ ଭୋଟରଙ୍କ ପଞ୍ଚାୟତ ସକାଶେ ପ୍ରସ୍ତୁତ ଓ୍ବାର୍ଡଓ୍ବାରି ଭୋଟର ତାଲିକାରେ ନାମ ଥିବା ଜରୁରୀ। ଭୋଟରମାନେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଭୋଟର ପରିଚୟପତ୍ର ଦେଖାଇ ମତଦାନ କରିପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଉକ୍ତ ପରିଚୟପତ୍ର ନ ଥାଏ ତେବେ ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ୧୩ଟି ପ୍ରମାଣ ପତ୍ର ମଧ୍ୟରୁ ଅନୁମୋଦିତ ରାଶନ କାର୍ଡ, ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜବ୍‌ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା କାର୍ଡ, ବ୍ୟାଙ୍କ ପାସ୍‌ବୁକ, ପେନ୍‌ସନ୍‌ ଡକ୍ୟୁମେଣ୍ଟ ଆଦି ଯେ କୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ।

ଭୋଟ ଦେବାବେଳେ ମତଦାତାମାନେ କିଭଳି ସତର୍କ ରହିବେ ଓ ଭୋଟ୍‌ ଯେପରି ନାକଚ ନ ହେବ ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଗାଇଡଲାଇନ୍‌ ଜାରି କରିଛନ୍ତି । ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲା ପରିଷଦ ଆସନ ପାଇଁ ଅଲଗା ଅଲଗା ବାଲଟ ପେପର ରହିଛି। ଗୋଟିଏ ବାଲଟ ପେପରରେ ୧୦ଟି ଚିହ୍ନ ରହିଛି। ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ତାହା ନାକଚ ହୋଇଯିବ। ଭୋଟ ଦେବା ବେଳେ ସତର୍କ ରହିବାକୁ ମତଦାତାଙ୍କୁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି। ଯେଉଁ ଚିହ୍ନରେ ଭୋଟ ଦେଉଛନ୍ତି ସେହି ଘର ଭିତରେ ଷ୍ଟାମ୍ପ ମାରିବା ଦରକାର। ଏହା ଯେପରି ଘରର ଗାର ଅତିକ୍ରମ ନ କରିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.