banner
Breaking

+ ୨ ପ୍ରାଟିକାଲ ପରୀକ୍ଷା ଆରମ୍ଭ

0

ଭୁବନେଶ୍ୱର, ୫।୪(ବ୍ୟୁରୋ):ରାଜ୍ୟରେ ସୋମବାରଠାରୁ ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ୍‌ ୩ଲକ୍ଷ ୩୨ହଜାର ପରୀକ୍ଷାର୍ଥୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି। ପ୍ରାୟ ୧,୫୮୮ କଲେଜର ପରୀକ୍ଷାର୍ଥୀଙ୍କ ଲାଗି ୧,୧୩୨ ପରୀକ୍ଷା କେନ୍ଦ୍ର ଓ ୬ଟି ସବ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଛି। ତେବେ ପ୍ରଥମ ଦିନରେ ରାଜ୍ୟର କେତେକ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ହୋଇପାରି ନାହିଁ। ତେବେ ୧୨ ତାରିଖ ସୁଦ୍ଧା ସମସ୍ତ କେନ୍ଦ୍ରରେ ଏହି ପ୍ରାକ୍ଟିକାଲ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ କର୍ତ୍ତୃପକ୍ଷ ସେମାନଙ୍କ ସୁବିଧା ଅନୁସାରେ ପରୀକ୍ଷା ପରିଚାଳନା କରୁଛନ୍ତି। ସବୁ ପ୍ରାକ୍ଟିକାଲ ରୁମ୍‌ରେ ସିସି ଟିଭି ବାଧ୍ୟତାମୂଳକ କରାଯାଇଥିବାବେଳେ ୩୫୦ରୁ ଅଧିକ ସେଲ୍ଫ ଫାଇନାନ୍ସ କଲେଜ ସମେତ ସମସ୍ତ ପରୀକ୍ଷା କେନ୍ଦ୍ରରେ ଏହି ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷାର ସୁପରିଚାଳନା ଲାଗି ପ୍ରତି ଜୋନ୍‌ସ୍ତରରେ ସ୍କ୍ବାଡ୍‌ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ଉପପରୀକ୍ଷା ନିୟନ୍ତ୍ରକଙ୍କ ନେତୃତ୍ୱରେ ସ୍କ୍ବାଡ୍‌ କେନ୍ଦ୍ରଗୁଡ଼ିକୁ ଗସ୍ତ କରି ଯାଞ୍ଚ କରିବେ। ଯେଉଁଠି ଅଧିକ ପରୀକ୍ଷାର୍ଥୀ ରହିଛନ୍ତି, ସେଠାରେ ଦୁଇଟି ସିଟିଂରେ ପରୀକ୍ଷା କରିବାକୁ କୁହାଯାଇଛି। ପ୍ରାକ୍ଟିକାଲ ପରୀକ୍ଷାରେ ଯେପରି ସମସ୍ୟା ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦେବାକୁ ପରୀକ୍ଷାକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଆସନ୍ତା ୮ରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରିଷଦ ଯୋଜନା ପ୍ରସ୍ତୁତ କରିଛି।
ସେପଟେ ପୂର୍ବରୁ ୨ ପର୍ଯ୍ୟାୟରେ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ପରିଷଦ ପୁଣିଥରେ ଛାତ୍ରୀଛାତ୍ରଙ୍କୁ ଦୁଇଦିନ (ସୋମବାର ଓ ମଙ୍ଗଳବାର) ସୁଯୋଗ ଦେଇଛି। ହାଇକୋର୍ଟଙ୍କ ରାୟ ଅନୁସାରେ କେବଳ ଅଫ୍‌ ଲାଇନ୍‌ ମୋଡ୍‌ରେ ଫର୍ମପୂରଣ ଲାଗି ମାତ୍ର ୫୭ଜଣ ପିଲାଙ୍କୁ ସୁଯୋଗ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ବିନା ଜରିମାନାରେ ସେମାନେ ନିଜ କଲେଜରେ ଫର୍ମ ପୂରଣ କରୁଛନ୍ତି। ଆସନ୍ତା ୬ ଓ ୭ ତାରିଖରେ ଫି’ ଓ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୁହାଯାଇଛି। ତେବେ ଚଳିତବର୍ଷ ପରୀକ୍ଷାରେ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଖୋଦ ପରୀକ୍ଷା ନିୟନ୍ତ୍ରକ ସବୁ କେନ୍ଦ୍ର ଉପରେ ନଜର ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.