banner
Breaking

ଦଶମ,ଦ୍ବାଦଶ ଶ୍ରେଣୀ ଅଫଲାଇନ ପରୀକ୍ଷା ପାଇଁ ବୁଧବାର ଶୁଣାଣି ଆରମ୍ଭ

0

ନୂଆଦିଲ୍ଲୀ,୨୨।୨ : ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏ.ଏମ୍‌.ଖାନୱିଲକରଙ୍କ ଖଣ୍ଡପୀଠରେ ଏହି ମାମଲାକୁ ନିଆଯିବ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଏବେ ଏହାର ଶୁଣାଣି ଫେବୃୟାରୀ ୨୩(ବୁଧବାର)ଠାରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର ଶୀର୍ଷକୋର୍ଟ ଏହି ମାମଲାର ଶୁଶାଣି ବୁଧବାର କରିବାକୁ ତାଲିକାଭୁକ୍ତ କରିଛନ୍ତି।

ଆଡଭୋକେଟ୍‌ ଅନ୍‌ ରେକର୍ଡ ପ୍ରଶାନ୍ତ ପଦ୍ମନାଭନ୍‌ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଜଷ୍ଟିସ ଏ.ଏମ୍‌.ଖାନୱିଲକରଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ କରାଇଥିବା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଇନଜୀବୀ ତଥା ଶିଶୁ ଅଧିକାର କର୍ମୀ ଅନୁଭା ଶ୍ରୀବାସ୍ତବ ସାହାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ପିଲାମାନଙ୍କର ଠିକ ସମୟରେ ମୂଲ୍ୟାଙ୍କନ ଏବଂ ଫଳାଫଳ ଘୋଷଣା ସମସ୍ତ ଶିକ୍ଷା ବୋର୍ଡର ଦାୟିତ୍ୱ। କିନ୍ତୁ ବୋର୍ଡମାନେ ତାହା କରି ନାହାନ୍ତି। ବର୍ତ୍ତମାନ ଏପ୍ରିଲ ୨୬ରୁ ବୋର୍ଡ ପରୀକ୍ଷା ଦେବାକୁ ସିବିଏସଇ ଏକ ବିଜ୍ଞପ୍ତି ଜାରି କରିଛି । ଅନ୍ୟ କେତେକ ରାଜ୍ୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। କିନ୍ତୁ ଅଧିକାଂଶ ଶିକ୍ଷା ବୋର୍ଡ ଏହାକୁ ନେଇ ଆଲୋଚନା କରୁଛନ୍ତି। ପିଲାମାନେ ଅନଲାଇନ ଅଧ୍ୟୟନ କରିଛନ୍ତି । ବହୁ ପିଲା ବିଭିନ୍ନ କାରଣରୁ ଏହାର ସୁଯୋଗ ମଧ୍ୟ ପାଇ ନାହାନ୍ତି।

ବର୍ତ୍ତମାନ ସେମାନଙ୍କର ପରୀକ୍ଷା ଅଫ୍‌ଲାଇନ୍‌ରେ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କୋଭିଡ କାରଣରୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରିଛନ୍ତି। କରୋନା ଆତଙ୍କ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ, ପିଲାମାନଙ୍କର ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ବିକଳ୍ପ ପଦ୍ଧତି ପ୍ରସ୍ତୁତ କରାଯିବା ଉଚିତ୍‌। ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ କରୋନା ବିପଦ ଟଳି ନାହିଁ। ଏହା ମଧ୍ୟ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ଛାତ୍ରୀଛାତ୍ରମାନଙ୍କୁ ଅଫ୍‌ଲାଇନ୍‌ ପରୀକ୍ଷାରେ ଉପସ୍ଥିତ ହେବାକୁ କହିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏପରି ଅସ୍ବାଭାବିକ ପରିସ୍ଥିତିରେ ଉପଯୁକ୍ତ ପ୍ରସ୍ତୁତି ବିନା ଅଫ୍‌ଲାଇନ୍‌ ପରୀକ୍ଷା କରାଇବା ଛାତ୍ରୀଛାତ୍ରଙ୍କ ମାନସିକ ସ୍ଥିତି ଉପରେ ଚାପ ପକାଇବାର ଆଶଙ୍କା ରହିଛି।

ଏକ କମିଟି ଗଠନ କରି ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ବିକଳ୍ପ ପଦ୍ଧତି ଆଣିବାକୁ ଶୀର୍ଷକୋର୍ଟ ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ରାଜ୍ୟ ଶିକ୍ଷା ବୋର୍ଡକୁ କହିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଯେଉଁ ଛାତ୍ରୀଛାତ୍ରମାନେ ଏପରି ମୂଲ୍ୟାଙ୍କନ ଦ୍ୱାରା ମିଳିଥିବା ମାର୍କରେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ଅଲଗା ପରୀକ୍ଷା ଦେବାକୁ ସୁଯୋଗ ପାଇବେ। ସମସ୍ତ ବୋର୍ଡକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ କରିବାକୁ କୁହାଯିବା ଉଚିତ୍‌।

କଲେଜ ଆଡମିଶନ ପାଇଁ ବ୍ୟବସ୍ଥା କରିବାବେଳେ ୟୁଜିସିକୁ ମଧ୍ୟ ଏହି ପରିସ୍ଥିତି ପ୍ରତି ଦୃଷ୍ଟି ଦେବାକୁ କୁହାଯିବା ଆବଶ୍ୟକ। ଦ୍ୱାଦଶ ପାସ କରିଥିବା ଛାତ୍ରୀଛାତ୍ରମାନଙ୍କୁ ଆପଟିଚ୍ୟୁଡ୍‌ ଟେଷ୍ଟ କିମ୍ବା ଅନ୍ୟ କୌଣସି ଉପଯୁକ୍ତ ପଦ୍ଧତି ମାଧ୍ୟମରେ କଲେଜରେ ଆଡମିଶନ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.