banner
Breaking

ଶିକ୍ଷା ବ୍ୟବସ୍ଥା ସଜଡିବା ପାଇଁ ଚାଲିଛି ଜୋରଦାର ପ୍ରୟାସ।

0

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ବିଶେଷ ଭାବେ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା।ଭୁଷୁଡି ପଡିଛି ପିଲାଙ୍କ ଭବିଷ୍ୟତ। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏଥିପାଇଁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ତେଣୁ ଏହି ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଅନ୍‌ଲାଇନ୍‌ ପାଠପଢ଼ା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଅନଲାଇନ୍‌ରେ ପିଲାମାନେ କିପରି କୋର୍ସ ଆଧାରରେ ପାଠପଢ଼ିବେ ଓ ଅଧିକରୁ ଅଧିକ ସୁବିଧା ପାଇପାରିବେ ସେ ସମ୍ପର୍କରେ ଗଠିତ କମିଟି ତର୍ଜମା ଚଳାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟର ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ପିଲା ଅନ୍‌ଲାଇନକୁ ଆସିଛନ୍ତି। ଅବଶିଷ୍ଟ ପିଲାଙ୍କୁ କିପରି ଏହି ସୁବିଧା ଯୋଗାଇ ହେବ ସେ ସମ୍ପର୍କରେ ଆଲୋଚନା ଚାଲିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଏକ ଏକ୍ସପର୍ଟ କମିଟି ଗଠିତ ହୋଇଛି। ଏହି କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷୟିତ୍ରୀଶିକ୍ଷକଙ୍କ ସହ ଆଲୋଚନା କରି ଏହାର ବିକଳ୍ପ ଖୋଜିବେ। ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ। ଅପରପକ୍ଷେ ଅନଲାଇନ୍‌ ସୁବିଧା ପାଇପାରୁ ନ ଥିବା ଛାତ୍ରୀଛାତ୍ର ରହୁଥିବା ଅଞ୍ଚଳରେ ଥିବା ଶିକ୍ଷକଙ୍କୁ କିପରି ବିନିଯୋଗ କରାଯାଇପାରିବ ତାହାର ମଧ୍ୟ ବିଶ୍ଳେଷଣ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ କହିଛନ୍ତି, ଜୁଲାଇ ମାସରେ ମଧ୍ୟ କରୋନାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି। ତେଣୁ ଜୁଲାଇ ୩୧ ପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ବଦଳିପାରେ ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି
ଜୁଲାଇ ଦ୍ୱିତୀୟ ସପ୍ତାହରେ ଯୁକ୍ତ୨ର ଅବଶିଷ୍ଟ ପରୀକ୍ଷା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରକାର ପ୍ରସ୍ତୁତି ସରିଥିବାବେଳେ ଏନେଇ ସରକାରଙ୍କ ଅନୁମତି ଲୋଡ଼ା ଯାଇଛି। ମାତ୍ର ଇତିମଧ୍ୟରେ କେତେକ ରାଜ୍ୟ ଯୁକ୍ତ୨ ପରୀକ୍ଷା ବନ୍ଦ କରିଦେଇଛନ୍ତି। ଏବେ ଆଇସିଏସ୍‌ସି ଓ ସିବିଏସ୍‌ଇ ଯୁକ୍ତ୨ ପରୀକ୍ଷା ବାତିଲ କରାଯାଇଥିବାରୁ ରାଜ୍ୟରେ ମଧ୍ୟ ପରୀକ୍ଷା ସଂକ୍ରାନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇପାରେ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଓଡ଼ିଶାରେ ଯୁକ୍ତ୨ ପରୀକ୍ଷା ବନ୍ଦ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାତ୍ର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ସେ କହିଛନ୍ତି, ଯୁକ୍ତ୨ର ବହୁ ପରୀକ୍ଷା ବାକି ରହିଛି। ଜୁଲାଇରୁ ଏହି ପରୀକ୍ଷା ହେବାର ଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଦେଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମତାମତ ପାଇଁ ପଠାଯାଇଛି। ଏଯାଏ ପରୀକ୍ଷା ପାଇଁ କିଛିି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.