banner
Breaking

ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ ମାଟ୍ରିକ ପରୀକ୍ଷା।

0

ଭୁବନେଶ୍ୱର,୨୨/୧(ଓଡ଼ିଆ ନ୍ୟୁଜ) କରୋନା ଯୋଗୁଁ ଯେଭଳି ମାଟ୍ରିକ ଛାତ୍ରଛାତ୍ରୀ ଅସୁବିଧା ନଭୋଗିବେ ସେଥିପାଇଁ ଏଥର ନିଜ ସ୍କୁଲରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିବିଧ ନିଷ୍ପତ୍ତି ନିଆଯାଇଛି। କିଛି ଦିନ ପୂର୍ବେ ଦଶମ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଥିବାବେଳେ ଫର୍ମପୂରଣ ଫି’କୁ ସରକାର ଛାଡ଼ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ମାଗଣାରେ ପ୍ରଶ୍ନ ଉତ୍ତର ସମ୍ବଳିତ ପୁସ୍ତିକା ପରୀକ୍ଷା ଦର୍ପଣ ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ବିଦ୍ୟାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ। କରୋନା ଯୋଗୁଁ ରହିବା ଓ ଯାତାୟାତରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ। ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବାକୁ ପରୀକ୍ଷା କେନ୍ଦ୍ରରେ ନିଜ ସ୍କୁଲ ଶିକ୍ଷକଙ୍କ ବଦଳରେ ଅନ୍ୟ ବିଦ୍ୟାଳୟର ଶିକ୍ଷକ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ। ସିସି କ୍ୟାମେରା ସହ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯିବ। ଏଥିସହିତ ପରୀକ୍ଷା ଖରା ଋତୁରେ ହେବାକୁ ଥିବାରୁ କାର୍ଯ୍ୟସୂଚୀ ସମୟ ପରିବର୍ତ୍ତନ କରାଯାଇଛି। ପରୀକ୍ଷା ସକାଳ ୮ଟାରୁ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହେବ। ପୂର୍ବରୁ ଅଢେଇ ଘଣ୍ଟା ପରୀକ୍ଷା ଅବଧି ଥିବାବେଳେ ଏଥର ଦୁଇ ଘଣ୍ଟା କରାଯାଇଛି। ସେହିପରି ପ୍ରଶ୍ନପତ୍ରରେ ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ । ଏନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ଖୁବ୍‌ଶୀଘ୍ର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷାର ରୂପରେଖ ସମ୍ବନ୍ଧରେ ୱେବ୍‌ସାଇଟ୍‌ରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ।
ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ମାଗଣାରେ ପ୍ରଶ୍ନ ଉତ୍ତର ସମ୍ବଳିତ ପୁସ୍ତିକା ଯୋଗାଇ ଦିଆଯିବ। ଏହି ପୁସ୍ତକର ନାମ ‘ପରୀକ୍ଷା ଦର୍ପଣ’ ରଖାଯାଇଛି। ଏହା ଟେଷ୍ଟ ପେପର ଭଳି ପ୍ରସ୍ତୁତ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ୭୦୦ ପୃଷ୍ଠାର ‘ପରୀକ୍ଷା ଦର୍ପଣ’ ପୁସ୍ତକ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣାରେ ଦିଆଯିବ। ଏହି ବହିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ।

ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲର ୬ଲକ୍ଷ ୨୦ହଜାର ୫୦୮ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ କେବଳ ଚଳିତ ବର୍ଷ ପାଇଁ ଏହାକୁ ବିତରଣ କରାଯିବ। ପ୍ରତି ପୁସ୍ତକ ପିଛା ପ୍ରାୟ ୧୩୦ ଟଙ୍କା ଖର୍ଚ୍ଚ କରାଯାଉଛି। ପୁସ୍ତକର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୫ଲକ୍ଷ ୩୦ହଜାର ୩୩୯ ଛାତ୍ରଛାତ୍ରୀ ରହିଥିବାବେଳେ ଏସ୍‌ଏସ୍‌ଡିର ୨୭ହଜାର ୨୬, ଘରୋଇ ସ୍କୁଲର ୩୬ହଜାର ୫୭୯, ଏକ୍ସ-ରେଗୁଲାରର ୨୪ହଜାର ୯୩୯, କରେସ୍‌ପଡେନ୍ସର ୧୬୨୪ ଛାତ୍ରଛାତ୍ରୀ ଅଛନ୍ତି।
କରୋନା ସଂକ୍ରମଣ ଯୋଗୁଁ ୩୦ ପ୍ରତିଶତ ପାଠ୍ୟକ୍ରମ କମାଯାଇଛି। ଏହାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ୭୦ ପ୍ରତିଶତ ସିଲାବସ୍‌କୁ ନେଇ ପ୍ରସ୍ତୁତ ଟେଷ୍ଟ ପେପର୍ ପରୀକ୍ଷାର୍ଥୀଙ୍କୁ ଦିଆଯିବ। ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କ ନିକଟରେ ଏହା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଚଳିତ ମାସ ୮ରୁ ରାଜ୍ୟରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି। ରବିବାର ପାଠପଢା ଚାଲିଛି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠପଢ଼ା ପାଇଁ ନିଷ୍ପତ୍ତି ନିଆଯାଇଛି। ଦଶମ ପାଠପଢା ଏପ୍ରିଲ ୨୬ ପର୍ଯ୍ୟନ୍ତ ଚାଲିବ। ପାଠପଢା ସମୟ ମଧ୍ୟରେ ପରୀକ୍ଷା ଦର୍ପଣ ଯୋଗାଇ ଦିଆଯିବ। କେତେ ସଂଖ୍ୟାରେ ‘ପରୀକ୍ଷା ଦର୍ପଣ’ ଛପାଯିବ ଓ କେଉଁ ଜିଲାରେ ‌କେତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବେ ସେ ସଂକ୍ରାନ୍ତ ତଥ୍ୟ ସବୁ ଜିଲାର ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କଠାରୁ ମଗାଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ସେମାନେ ତଥ୍ୟ ଦାଖଲ କରିବେ।

Khansweb Solution Bhubaneswar

Leave A Reply

Your email address will not be published.