banner
Breaking

ଓଡ଼ିଶା ଓ ଭାରତରେ ଏମଏସ୍‌ପି ବ୍ୟବସ୍ଥା ପୂର୍ବପରି ଅପରିବର୍ତ୍ତିତ ରହିବ। ଧର୍ମେନ୍ଦ୍ର

0

ଭୁବନେଶ୍ୱର,୪।୧୦(ବ୍ୟୁରୋ): କେନ୍ଦ୍ରରେ ଏନ୍‌ଡିଏ ସରକାର ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବା ପ୍ରଶ୍ନ ଉଠୁନାହିଁ। ଏନେଇ ଅପପ୍ରଚାର ହେଉଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା। ଓଡ଼ିଶା ଓ ଭାରତରେ ଏମଏସ୍‌ପି ବ୍ୟବସ୍ଥା ପୂର୍ବପରି ଅପରିବର୍ତ୍ତିତ ରହିବ। ମୋଦି ସରକାରରେ ଆସିଥିବା ୩ କୃଷି ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ଏହା ଦ୍ୱାରା ଏମ୍‌ଏସ୍‌ପି ବନ୍ଦ ହେବ ବୋଲି ଯେଉଁ ଅପପ୍ରଚାର ହେଉଛି ତାହା ମିଥ୍ୟା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ଶନିବାର ନୂତନ କୃଷି ଆଇନ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟର ଚାଷୀଙ୍କ ପାଖରୁ କେନ୍ଦ୍ର ସରକାର ୨୦୦୯ରୁ ୨୦୧୪ ଆର୍ଥିକ ବର୍ଷରେ ୧୪.୨୬ ମିଲିୟନ ମେଟ୍ରିକ ଟନ୍‌ ଧାନ କିଣିଛନ୍ତି। ୨୦୧୩-୧୪ ବର୍ଷରେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୧୩୧୦ ଟଙ୍କା ଥିଲା। ମାତ୍ର ୨୦୧୪ରୁ ୨୦୨୦ ମଧ୍ୟରେ ୨୨.୮୬ ମିଲିୟନ ମେଟ୍ରିକ୍‌ ଟନର ଧାନ କିଣାଯାଇଛି। ୨୦୨୦-୨୧ରେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୨୦୧୪-୨୧ ବର୍ଷ ଅଗଷ୍ଟ ସୁଦ୍ଧା ୨୦,୨୭୨.୩୩ ଟନ ଡାଲି କିଣାଯାଇଛି। ଏହାର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୬୨୭୧.୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହି ସମୟରେ ରାଜ୍ୟରୁ ଚାଷୀଙ୍କଠାରୁ ୧୨,୯୫୭.୬୩ ଟନ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି। ଏହାର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ରାଜ୍ୟର ଚାଷୀମାନେ ପୂର୍ବରୁ କେବଳ ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ ମାର୍କେଟ୍‌ କମିଟି(ଏପିଏମ୍‌ସି) ଅଧିନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଥିଲେ। ଏହି ଆଇନ ବଳରେ ଚାଷୀମାନେ ଏପିଏମ୍‌ସି ସହିତ ଖୋଲା ବଜାରରେ ନିଜର ସାମଗ୍ରୀ ବିକ୍ରି କରିପାରିବେ। ଅର୍ଥାତ୍‌ ନୂତନ କୃଷି ଆଇନ ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ। ନୂଆ ନିୟମରେ ଚାଷୀ ଓ ବଜାର ମଧ୍ୟରେ ଏକାଧିକ ମଧ୍ୟସ୍ଥି ଏବଂ ଦଲାଲି ବ୍ୟବସ୍ଥାକୁ ହଟାଯାଇ ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯାଇଛି। ଏହି ବିଧେୟକ ଚାଷୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ଠିକ୍‌ ମୂଲ୍ୟ ଦେବ। ଉପଭୋକ୍ତାଙ୍କୁ ମଧ୍ୟ ଠିକ୍‌ ମୂଲ୍ୟରେ ସାମଗ୍ରୀ ମିଳିପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.