banner
Breaking

ବଢୁଛି ଡେଙ୍ଗୁ, ୧୭ ଦିନରେ ୧ ହଜାରରୁ ଉର୍ଦ୍ଧ୍ବ ଚିହ୍ନଟ

0

ଭୁବନେଶ୍ୱର :ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏବେ ଡେଙ୍ଗୁ ଭୂତାଣୁ ସକ୍ରିୟ ରହିଛି। ସହରର ସବୁ ଅଞ୍ଚଳକୁ ଡେଙ୍ଗୁ ବ୍ୟାପିଯାଇଥିବାବେଳେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ସାମାନ୍ୟ ଜ୍ୱର ହେଲେ ବି ସହରବାସୀଙ୍କ ମନରେ ଛନକା ପଶୁଛି। ରାଜ୍ୟରୁ ଚିହ୍ନଟ ହେଉଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହେଉଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱରର ସ୍ଥିତି ସବୁଠୁ ଉଦ୍‌ବେଗଜନକ ରହିଛି। ବର୍ଷା ଦିନ ହୋଇଥିବାରୁ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଜାନୁୟାରୀ ୧ରୁ ସେପ୍ଟେମ୍ବର ୧୮ ସୁଦ୍ଧା ଭୁବନେଶ୍ୱରରୁ ମୋଟ୍‌ ୧୯୮୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସହରର ବିଭିନ୍ନ ଅଞ୍ଚଳରୁ ୧୯୩୧ଟି କେସ୍‌ ରହିଥିବାବେଳେ ବାକି ୫୭ଟି କେସ୍‌ ଅଜ୍ଞାତ ଅଞ୍ଚଳରୁ ରହିଛି। ଅପରପକ୍ଷେ ସୋମବାର ସହରରୁ ଆଉ ୩୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଏଲ୍‌.ଡି. ସାହୁ ସୂଚନା ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୧୪୧ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ତେବେ ୩୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେମାନେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଡା. ସାହୁ କହିଛନ୍ତି। ଏହାକୁ ମିଶାଇ ସହରରେ ରୋଗୀ ସଂଖ୍ୟା ୨ହଜାର ୨୪କୁ ବୃଦ୍ଧି ପାଇଛି। ତେବେ ଜାନୁଆରୀ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ ଭୁବନେଶ୍ୱରରୁ ୧୦୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ମାତ୍ର ୧୭ ଦିନରେ ସହରରୁ ଆଉ ୧ହଜାର ୮ଜଣ ନୂଆ ରୋଗୀ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ସୂଚନାନୁସାରେ, ଚଳିତବର୍ଷ ଜାନୁୟାରୀରେ ଭୁବନେଶ୍ୱରରୁ ମାତ୍ର ଜଣେ ରୋଗୀ ଚିହ୍ନଟ ହୋଇଥିବାବେଳେ ଫେବୃୟାରୀରେ କେହି ଚିହ୍ନଟ ହୋଇ ନ ଥିଲେ। ତେବେ ମାର୍ଚ୍ଚରେ ୫ଜଣ, ଏପ୍ରିଲରେ ୬ଜଣ, ମେ’ରେ ୬ଜଣ, ଜୁନ୍‌ରେ ୬୯ଜଣ, ଜୁଲାଇରେ ୨୦୩ଜଣ, ଅଗଷ୍ଟରେ ୭୬୩ ଏବଂ ସେପ୍ଟେମ୍ବରରେ ୯୭୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ଡେଙ୍ଗୁ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ବି ତାହା ଚିନ୍ତାଜନକ ନୁହେଁ। ଗତବର୍ଷ ତୁଳନାରେ ଏଥର ରାଜ୍ୟରେ ଟେଷ୍ଟର ହାର ଦ୍ୱିଗୁଣରୁ ଅଧିକ ରହିଛି। ୨୦୨୧ରେ ଜାନୁୟାରୀରୁ ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟରେ ୧୪ହଜାର ୩୯୨ ଟେଷ୍ଟ କରାଯାଇଥିଲା। ସେଥିରୁ ୩ହଜାର ୬୬୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।
ଅପରପକ୍ଷେ ଚଳିତବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୫ ମଧ୍ୟରେ ମୋଟ୍‌ ୨୬ହଜାର ୩୬୫ ନମୁନା ପରୀକ୍ଷା କରାଯାଇଥିବାବେଳେ ୩ହଜାର ୫୩୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରୋଗୀ ସଂଖ୍ୟା ପ୍ରାୟ ସମାନ ରହିଥିଲେ ବି ଟେଷ୍ଟିଂ ବଢିଥିବାରୁ ଗତ ବର୍ଷ ତୁଳନାରେ ପଜିଟିଭିଟି କମ୍‌ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପ୍ରାୟ ୯୫ ପ୍ରତିଶତ ଡେଙ୍ଗୁ ରୋଗୀ ଘରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇ ପାରିବେ। ତେଣୁ ଡେଙ୍ଗୁ ଚିହ୍ନଟ ହେଲେ ଭୟଭୀତ ନ ହୋଇ ଏହାର ଉପଯୁକ୍ତ ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.