banner
Breaking

ଆଶାକର୍ମୀଙ୍କ ଦରମା ବୃଦ୍ଧି ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସଦସ୍ୟ

0

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜ୍ୟର ଆଶାକର୍ମୀମାନଙ୍କର ଦରମା ବୃଦ୍ଧି ନେଇ ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ଯ୍ୟାଳୟରେ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ନେତୃତ୍ୱରେ ୫ ଜଣ ବିଜେଡି ଏମ୍‌ପି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ସାକ୍ଷାତ୍‌ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏମ୍‌ପି ମହେଶ ସାହୁ, ପ୍ରମିଳା ବିଶୋଇ, ମଞ୍ଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଆଶାକର୍ମୀମାନଙ୍କୁ ବେତନ ଓ ସରକାରୀ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ସୁବାସ ସିଂ କହିଥିଲେ, କରୋନା ସମୟରେ ଆଶାକର୍ମୀ ନିଜ ଜୀବନକୁ ବିପନ୍ନ କରି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଦିନକୁ ୧୫ଘଣ୍ଟା କାମ କରି ମଧ୍ୟ ମାସକୁ ୫ହଜାର ଟଙ୍କା ମିଳୁନାହିଁ। ଏହାଦ୍ୱାରା ଆଶାକର୍ମୀଙ୍କ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ତଥା ସୁରକ୍ଷା ବିପନ୍ନ ହେଉଛି। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହିତ ପେନ୍‌ସନ, ପିଲାଙ୍କ ପାଠପଢ଼ା, ଗସ୍ତ ଖର୍ଚ୍ଚ ତଥା ମାସକୁ ୧୮ହଜାର ଟଙ୍କା ଦରମା ଯୋଗାଇ ଦେବା ନିହାତି ଜରୁରୀ ବୋଲି ସିଂ ଦର୍ଶାଇଛନ୍ତି। ବିଜେଡି ଏମ୍‌ପି ସୁବାସ ସିଂ ଗୃହର ଶୂନ୍ୟକାଳରେ ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ଓ ସପ୍ତମ ବେତନ କମିଶନ ଦେବା ପାଇଁ ବାରମ୍ବାର ଦାବି କରି ଆସିଛନ୍ତି। ଚଳିତ ଶୀତ ଅଧିବେଶନରେ ସଂସଦ ଗୃହକାର୍ଯ୍ୟ ପ୍ରାୟତଃ ମୁଲତବୀ ରହୁଥିବାରୁ ଗୃହର ଶୂନ୍ୟକାଳରେ ଆଶାକର୍ମୀଙ୍କୁ ସପ୍ତମ ବେତନ କମିଶନରେ ମାସିକ ୧୮ହଜାର ଟଙ୍କା ଲାଗୁ ଓ ସରକାରୀ ମାନ୍ୟତା ଦାବି ପ୍ରସଙ୍ଗ ଉଠିପାରି ନ ଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି କେନ୍ଦ୍ରକୁ ଆଶାକର୍ମୀଙ୍କ ବେତନ ବୃଦ୍ଧି ଓ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପତ୍ର ଲେଖି ଆସୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ବର୍ତ୍ତମାନ ଆଶାକର୍ମୀଙ୍କ ବେତନକୁ ୬୦ ପ୍ରତିଶତ ଦେଉଥିବାବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ପ୍ରଦାନ କରୁଛନ୍ତି। ଓଡ଼ିଶା ସରକାର ଆଶାକର୍ମୀଙ୍କୁ ମାସକୁ ୧ହଜାର ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରୁଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.