banner
Breaking

ଡିଏଭି ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହ

0

ଭୁବନେଶ୍ୱର, ୪/୮ କୌଣସି ସଫଳତା ସଂଯୋଗବଶତଃ ମିଳେ ନାହିଁ । ଆକସ୍ମିକ ଭାବରେ ଲବ୍ଧ ସାଫଲ୍ୟ କ୍ଷଣସ୍ଥାୟୀ । କଠିନ ପରିଶ୍ରମ ଓ ସାଧନା ଜରିଆରେ ମିଳିଥିବା ସଫଳତା ଦୀର୍ଘସ୍ଥାୟୀ ଓ ଫଳପ୍ରଦ
ହୋଇଥାଏ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଅଭିଭାଷଣ ପ୍ରଦାନ କରି ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମତପ୍ରକାଶ କରିଛନ୍ତି । ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ପବ୍ଲିକ୍‍ ହେଲ୍‍ଥର ଭାଇସ୍‍-ଚାନସେଲର୍‍ ପ୍ରଫେସର ଦାଶ ମହାଭାରତ ଠାରୁ ଆରମ୍ଭ କରି ସମସାମୟିକ ଘଟଣାବଳୀରୁ ଏକାଧିକ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ କୃତସଂକଳ୍ପ ଭାବରେ ଲକ୍ଷ୍ୟହାସଲ ଦିଗରେ ଆଗେଇଯିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟକୁ ଜାତୀୟ ଚରିତ୍ରର ଦର୍ପଣ ସହ ତୁଳନା କରି ପ୍ରଫେସର ଦାଶ ଏହା ସତତ ସ୍ୱଚ୍ଛ ଓ ସମୁଜ୍ଜ୍ୱଳ ହେବା ଉଚିତ ବୋଲି କହିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ସମାହିତ ଏହି ମନୋଜ୍ଞ ଉତ୍ସବରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ, ମାଡାମ୍‍ ଦାଶ, ଡିଏଭି କଳିଙ୍ଗନଗର ଚେୟାରମ୍ୟାନ୍‍ ମଦନମୋହନ ପଣ୍ଡା, ଡିଏଭି ୟୁନିଟ୍‍-୮ ଚେୟାରମ୍ୟାନ୍‍ ବିଜୟ ପଟ୍ଟନାୟକ, ଡିଏଭି ସହକାରୀ ଆଞ୍ଚଳିକ ଅଧିକାରୀଗଣ ଡ. ସୁଜାତା, ଏ. କେ. ଭୋଇ, ଈପ୍‍ସିତା ଦାସ, ଡିଏଭି ଅନୁଷ୍ଠାନସମୂହର ଅଧ୍ୟକ୍ଷଅଧ୍ୟକ୍ଷା ଅତିଥିରୂପେ ମଞ୍ଚାସୀନ ଥିଲେ । ଇତ୍ୟବସରରେ, ବିଦ୍ୟାଳୟର ପରୀକ୍ଷାଫଳ ଟାବ୍‍ଲଏଡ୍‍ ‘ଇପୋକ’ ଉନ୍ମେଚିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ବିଦ୍ୟାଳୟର ସାଫଲ୍ୟମଣ୍ଡିତ ବିବରଣୀ ଉପସ୍ଥାପନ କରିବାସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଏଇ ଆମ ରତ୍ନମଣ୍ଡପ’, ଲୋକନୃତ୍ୟ ‘ମାଟି ଆମର ମାଆ’, ସୁସ୍ଥ ଶରୀର ଓ ମନ ପାଇଁ ଯୋଗାସନ ପ୍ରଦର୍ଶନ ଆଦି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା ।
ନିରବଚ୍ଛିନ୍ନ ୨୫ବର୍ଷ ସେବା ପ୍ରଦାନ କରିଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ ।
ପୂର୍ବାହ୍ଣରେ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀଙ୍କ ପୌରୋହିତ୍ୟରେ ବୈଦିକ ଯଜ୍ଞାନୁଷ୍ଠାନ
ଆୟୋଜିତ ହୋଇଥିଲା । ଶିକ୍ଷକ ଲକ୍ଷ୍ମୀଧର ରାଉତରାୟ, ଈଶା ଶତପଥୀ, ସି.ଜ୍ୟୋତି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ, ଅଭିଭାବକ, ଆମନ୍ତ୍ରିତ ଅତିଥିଗଣ ବହୁସଂଖ୍ୟାରେ ସମୁଦାୟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.