banner
Breaking

ରୟାଲ ପ୍ୟାଲେସରେ ବିରାଜିବେ ମା

0

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ) : ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଚାରିଆଡେ ଖୁସିର ମାହୋଲ। ଦୁଇ ବର୍ଷ ପରେ ଭକ୍ତମାନେ ଦର୍ଶନ କରିବେ ମା’ ଦଶଭୁଜାଙ୍କୁ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରୁ ବାଦ୍‌ପଡ଼ିନି ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି। ଚଳିତ ବର୍ଷ କମିଟି ପଶ୍ଚିମବଙ୍ଗର ରୟାଲ ପ୍ୟାଲେସ ସଦୃଶ ତୋରଣ ଭେଟିଦେବ।
ସହର ଭିତରେ ଗ୍ରାମର ଭାଇଚାରାକୁ ବଜାୟ ରଖି ୧୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି। ଚଳିତ ବର୍ଷ କମିଟି ୧୧ ବର୍ଷରେ ପଦାପର୍ଣ କରିଛି। କମିଟି ପକ୍ଷରୁ ପଶ୍ଚିମବଙ୍ଗର ରୟାଲ ପ୍ୟାଲେସ ସଦୃଶ ତୋରଣ ନିର୍ମାଣ କରାଯିବ। ଏହାର ଓସାର ୧୦୦ ଫୁଟ ଓ ଚଉଡା ୮୦ ଫୁଟ ରହିବ। ଢେଙ୍କାନାଳର କୁଶଳୀ କାରିଗରମାନଙ୍କ ଦ୍ୱାରା ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ମଣ୍ଡପକୁ ସଂଯୋଗ କରୁଥିବା ୩ଟି ରାସ୍ତାରେ ଏଲ୍‌ଇଡି ଲାଇଟ୍‌ ଗେଟ୍‌ ଲାଗିବା ସହ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯିବ। ୧୬ ଫୁଟର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ୧୪ ଫୁଟର ତାରକସି ମେଢ କାମ ଜାରିରହିଛି। ଏହାକୁ ପୁରୁଣା ଭୁବନେଶ୍ୱରର କାରିଗରମାନେ ନିର୍ମାଣ କରୁଛନ୍ତି। ମା’ଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭାପାଇବା ସହିତ ତାରକସି ଗହଣାରେ ସୁସଜ୍ଜିତ ହେବେ ଦୁର୍ଗତିନାଶିନୀ। ସପ୍ତମୀରେ କଳସ ଯାତ୍ରାରେ ୧୦୮ ଜଣ ମହିଳା ସାମିଲ ହେବେ। ଦଶମୀ ଦିନ ଦହି ପଖାଳ ଭୋଗ, ଅପରାଜିତା ପୂଜା, ହୋମ, ପୂର୍ଣ୍ଣାହୁତି, ଘଟ ବିସର୍ଜନ ଓ ରାବଣ ପୋଡି ଅନୁଷ୍ଠିତ ହେବ। ସେହିପରି ଭଜନ ସନ୍ଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ରହିଛି। ଭିଡ ନିୟନ୍ତ୍ରଣ କରିବା ପାଇଁ ୧୦୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ଏଥିସହିତ ୮ଟି ସିସିଟିଭି କ୍ୟାମେରା ଲଗାଯିବ। ମଣ୍ଡପରେ ୪ଟି ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଗୋପୀନାଥ ଜୀଉ ୟୁଥ କ୍ଲବ, ଲକ୍ଷ୍ମୀନାରାୟଣ କ୍ଲବ ଓ ଡମଣା ବାଉତେଇ ମହିଳା ସମିତି ସହଯୋଗ କରିବେ।

Khansweb Solution Bhubaneswar

Leave A Reply

Your email address will not be published.