banner
Breaking

ଉତ୍ତର ଭୁବନେଶ୍ୱରରେ ଭସାଣି ମହୋତ୍ସବ, ଭାଇଚାରାର ମନ୍ତ୍ରରେ ବିଦାୟ ନେଲେ “ମା”

0

ଭୁବନେଶ୍ୱର : ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଦୁଇବର୍ଷ କରୋନା ମହାମାରୀ କାରଣରୁ ନିରାଡମ୍ବରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମଣ୍ଡପରେ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା ମହାମାୟା, ଦୁର୍ଗତିନାସିନୀ, ମହିସା ମର୍ଦ୍ଧିନୀ ମାଙ୍କ ମୃଣ୍ମୟ ପ୍ରତିମା ଭଷାଣୀରେ ପାରମ୍ପରିକ ବାଦ୍ୟ, ଘଣ୍ଟ, ହୁଳହୁଳି, ବିଭିନ୍ନ ନୃତ୍ୟ ଓ ଆଧୁନିକ ଡିଜେ ଧୁନ୍ ଏବଂ ଆତସବାଜିରେ ବିଦାୟ ନେଇଛନ୍ତି । ଅଶ୍ରୁପ୍ଳାବିତ ହୋଇଯାଇଛନ୍ତି ଅଗଣିତ ଭକ୍ତ । ବର୍ଷା ବାଧକ ସତ୍ୱେ ରାଜଧାନୀରେ ଚାରୋଟି ସ୍ଥାନରେ ଧୁମଧାମରେ ଭସିଣି ମହୋତ୍ସବ ଅନୁଷ୍ଠିତ ହୋଇଛି ।
ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଚନ୍ଦ୍ରଶେଖରପୁର ମେଳଣ ପଡିଆଠାରେ ଆୟୋଜିତ ଭସାଣି ଉତ୍ସବରେ ୨୩ଟି ମେଢ଼ ଯୋଗ ଦେଇଥିଲେ । ଏଥି ମଧ୍ୟରେ ଡମଣା, ଶୈଳଶ୍ରୀ ବିହାର, ନୀଳାଦ୍ରି ବିହାର,ଡିଷ୍ଟ୍ରିକ୍ଟ ସେଣ୍ଟର, ନନ୍ଦନ ବିହାର, ବିଡିଏ କଲୋନୀ, ଶିଖର ଚଣ୍ଡି, ଇଞ୍ଜଣା, ଗାଡକଣ, କଳାରାହଙ୍ଗ ଓ ଅନ୍ୟାନ୍ୟ ପୂଜା ମଣ୍ଡପରୁ ମେଢ଼ ଗୁଡିକ ବିଭିନ୍ନ ବାଦ୍ୟ, ଆତସବାଜି ପାରମ୍ପରିକ ନୃତ୍ୟ ଓ ଡିଜେଧୁନ୍ ନାଚରେ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ଭଷାଣୀ କମିଟିର ଉପଦେଷ୍ଟା ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, କର୍ପୋରେଟର ମିହିର କୁମାର ରାଉତ, ପ୍ରୀତିନନ୍ଦା ରାଉତରାୟ, ଯଶୋଧାରା ପ୍ରଧାନ, ପ୍ରଦୀପ ଜେନା, ସୁରେଶ ରଥ, ଗଜି ଜେନା ପ୍ରମୁଖ ଯୋଗଦେଇ ଉତ୍ତର ଭୁବନେଶ୍ୱରର ଭାଇଚାରାକୁ ପ୍ରଶଂସା କରିବା ସହିତ ମା ଜଗତ ଜନନୀ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି କହିଥିଲେ । ସଂଯୋଜକ ସମରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଅବଦାନପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତ ପୂଜା କମିଟିର ସଭାପତି ସଂପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ଗାଡକଣ ପୂଜା କମିଟି ଦ୍ୱାରା ପ୍ରସ୍ତୁତ ୧ କ୍ୱିାଲ ୨୦ କେଜି ଲଡୁ । ଏହାକୁ ନିଲାମ ଡକାଯାଇଥିଲା । ୪୦ ହଜାର ଟଙ୍କାରେ ଇଞ୍ଜଣା ପୂଜା କମିଟି ନିଲାମ ନେଇଥିଲା । ଭସାଣି କମିଟିର ସନ୍ତୋଷ ମହାନ୍ତି, ପ୍ରଦୀପ ଦାସ, ଭଗବାନ ଦାଶଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବକୁ ପରିଚାଳନା କରିଥିଲେ । ଏଲପିଟିମର ସଭ୍ୟ ଓ ସ୍ଥାନୀୟ ଯୁବକମାନେ ସହଯୋଗ କରିଥିଲେ । ୬ ନମ୍ବର ଜୋନ ଏସିପି ରମେଶ ଚନ୍ଦ୍ର ବିଶୋଇ, ପୂର୍ବତନ ଏସିପି ସର୍ବେଶ୍ୱର ପାଲ ଓ ୫ ଟି ଥାନାର ଆଇଆଇସି ଉପସ୍ଥିତ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।
ରାତ୍ରି ୯ ଘଟିକା ସମୟରେ ପଡିଆରୁ ମେଢ଼ ଗୁଡିକ ବାହାରି ବିଭିନ୍ନ ବାଦ୍ୟ ଓ ନାଚର ତାଳେ ତାଳେ କଳିଙ୍ଗ ହସ୍ପିଟାଲ୍ ଛକ, ସୈନିକ ସ୍କୁଲ ଛକଦେଇ କୁଆଖାଇ ନଦୀ ଅଭିମୁଖେ ଯାତ୍ରା କରିଥିଲେ । ଏଥିମଧ୍ୟରେ ଡିଜେ ଧୁନ୍ ନାଚ, ଘୋଡା ନାଚ, ଘଣ୍ଟପାଟୁଆ, ମାର୍ଦଳ ବାଜା, ଢୋଲବାଜା, ବ୍ୟାଣ୍ଡ ପାର୍ଟି, ଦୁଲ୍‌ଦୁଲି ବାଜା, ଦକ୍ଷିଣୀ ନାଚ, ନିଆଁ ଖେଳ, ସହିତ ବିଭିନ୍ନ ଭଣ୍ଡ ବାବାଙ୍କ ବେଶଧାରି ବ୍ୟକ୍ତିମାନେ ଆତସବାଜି କରୁଥିଲେ । ପଡିଆଠାରୁ ରାସ୍ତାସାରା ଲୋକମାନେ ଏକତ୍ରିତ ହୋଇ ଏହାର ମଜା ନେଉଥିଲେ । ଶେଷରେ କୁଆଖାଇ ଠାରେ ମାଙ୍କ ମୃଣ୍ମୟ ପ୍ରତିମାଙ୍କୁ ଅସ୍ଥାୟୀ ପୁଷ୍କରଣୀରେ ବିଶର୍ଜନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.