banner
Breaking

ଭୟଙ୍କର ବାତ୍ୟାରେ ପରିଣତ ହେଲା ବାତ୍ୟା ଅସାନି

0

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ପୁରୀଠାରୁ ଦକ୍ଷିଣ ଦିଗରେ ଏହା ୫୯୦ କି.ମି. ଦୂର ଏବଂ ବିଶାଖାପାଟଣାଠାରୁ ୪୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗ ଦେଇ ଗତିକରି ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗର ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳକୁ ଅଗ୍ରସର ହେବ। ଏହାପରେ ବାତ୍ୟା ଦିଗ ପରିବର୍ତ୍ତନ କରି ଉତ୍ତର ପଶ୍ଚିମ ଓ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହାର ୨୪ ଘଣ୍ଟା ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ଏକ ବାତ୍ୟାର ରୂପ ନେବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ମୋଟାମୋଟି ଭାବେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ସ୍ଥଳଭାଗ ନିକଟତର ହେବାବେଳକୁ ବଳ କମିଯାଇଥିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ୨ ଦିନ ହାଲୁକା ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ ଅନୁସାରେ, ବାତ୍ୟା ଉପକୂଳ ଅତିକ୍ରମ କରିବା ସମ୍ଭାବନା ନାହିଁ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ଅତିବେଶିରେ ୪୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ମଙ୍ଗଳବାର ଗଜପତି, ଗଞ୍ଜାମ ଓ ପୁରୀରେ ସ୍ବଳ୍ପରୁ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତ୍‌ସିଂହପୁରରେ ବର୍ଷାର ପୂର୍ବାନୁମାନ କରାଯାଇଥିବା ବେଳେ ୧୨ ତାରିଖରେ ପୁରୀ, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଏସ୍‌ଆରସି(ସ୍ବତନ୍ତ୍ର ରିଲିଫ କମିଶନର) ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ବିପଦ ନାହିଁ। କାରଣ ଏହା ପୁରୀଠାରୁ ୧୦୦ କିଲୋମିଟର ଦୂରରେ ଯିବ। ଏହି ସମୟରେ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୦ କିମି ରହିପାରେ। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।
ବାତ୍ୟା ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ପାଗ ମେଘୁଆ ରହିବା ସହ ପାରଦ ତଳମୁହାଁ ରହିବ। ୧୩ ତାରିଖରୁ ପୁଣି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମାଡ଼ିଆସିବ। ସମଗ୍ର ରାଜ୍ୟ ପୁଣି ତତଲା ତାଓ୍ବାରେ ଶିଝିବ। ୧୪ ତାରିଖରେ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌କୁ ଟିପିଯିବା ସମ୍ଭାବନା ରହିଛି। ସେହିପରି ୧୫ ତାରିଖରୁ ଉପକୂଳ ଓଡ଼ିଶାରେ ତାତି କଲବଲ କରିବ। ପାରଦ ୪୫ ଡିଗ୍ରୀ ଛୁଇଁବା ସହ ଆର୍ଦ୍ରତା ପରିମାଣ ବଢ଼ିଯିବ। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.