banner
Breaking

ବିସ୍ଫୋରକ ସାମଗ୍ରୀ ଜବତ ୧୨ ଗିରଫ।

0

କଟକ , ୧୯ା୧୦: ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ହାତୀଖାନା ଓ ତ୍ରିଲୋଚନପୁର ଗଁାରେ ଥିବା ୮ଟି ବେଆଇନ ବାଣ କାରଖାନା ଉପରେ ଶନିବାର ଭୋରରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ସେଠାରୁ ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ରାସାୟନିକ ଦ୍ରବ୍ୟ ଜବତ କରାଯାଇଥିଲା। ଏହି ଘଟଣାରେ ଜଗତପୁର ପୋଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନରେନ୍ଦ୍ର ନାୟକ, ବୁଲୁ ମଲ୍ଲିକ, ଜଗା ମାଝୀ, ପ୍ରତାପ ଚନ୍ଦ୍ର ଘଡେଇ, ଯୋଗେନ୍ଦ୍ର ମାଝୀ, ରମେଶ ଚନ୍ଦ୍ର ଘଡେଇ, ବଟେଶ୍ୱର ଘଡେଇ, ଧନେଶ୍ୱର ଘଡେଇ, ସଞ୍ଜୟ ଘଡେଇ, ପ୍ରଶାନ୍ତ କୁମାର ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ରଞ୍ଜନ ଘଡେଇ। ଏ ନେଇ ଥାନାରେ ଏକ ମାମଲା(ନଂ.୩୩୯/୧୯) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉପରୋକ୍ତ ସ୍ଥାନରେ ବେଆଇନ ଭାବେ ବାଣ ତିଆରି ହେଉଥିଲା। ଏହି ଖବର ମିଳିବା ପରେ କଟକର ୬ଟି ଥାନାର ଆଇଆଇସିଙ୍କୁ ନେଇ କମିଶନରେଟ ପୋଲିସ ସେଠାରେ ଚଢାଉ କରିବା ପାଇଁ ଯୋଜନା କରିଥିଲା। ଏଥିରେ ପ୍ରାୟ ୨୦ଜଣ ବରିଷ୍ଠ ପୋଲିସ ଅଧିକାରୀ ଓ ୪ ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ। ଶନିବାର ଭୋର ପ୍ରାୟ ୪ଟାରେ ଉକ୍ତ କାରଖାନା ଉପରେ ଅତର୍କିତ ଚଢାଉ ହୋଇଥିଲା। ଚଢାଉ ବେଳେ କାରଖାନାଗୁଡିକର ଲାଇସେନ୍ସ ନ ଥିବା ଜଣାପଡିଥିଲା। ଫଳରେ ଘଟଣାସ୍ଥଳରୁ ପୋଲିସ ପ୍ରାୟ ୨୫କେଜି ୪ଶହ ଗ୍ରାମ୍‌ ଓଜନର ବାରୁଦ, ୧୪ କେଜି ପୋଟାସିୟମ, ୩୫ କେଜି ମେଟାଲ ବ୍ଲାକ୍‌ ପାଉଡର, ୧୨ କେଜି ଆଲୁମିନିୟମ ଗୁଣ୍ଡ, ୧୫ କେଜି ଲୁହାଗୁଣ୍ଡ ଏବଂ ବିଭିନ୍ନ ପ୍ରକାରର ୧୦ ହଜାର ପ୍ୟାକେଟ ବାଣ ଜବତ କରିଥିଲା। ଜବତ ସାମଗ୍ରୀଗୁଡ଼ିକୁ ୩ଟି ଟ୍ରାକ୍ଟର ଯୋଗେ ଜଗତପୁର ଥାନାକୁ ନିଆଯାଇଥିଲା। ତେବେ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ଜନବସତି ମଧ୍ୟରେ ସେମାନେ ବେଆଇନ ଭାବେ ବାଣ ତିଆରି କରିବା ସହ ଅତ୍ୟନ୍ତ ମାରାତ୍ମକ ରାସାୟନିକ ସାମଗ୍ରୀ ଗଚ୍ଛିତ ରଖିଥିଲେ। ବାଣ ତିଆରିରେ ଏହି ରାସାୟନ ଦ୍ରବ୍ୟ ବ୍ୟବହାର କରାଯାଉଥିଲା। ଶୋଇବା ଘରେ ବି ଅଭିଯୁକ୍ତମାନେ ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚେଇ ରଖିଥିବା ଦେଖିବାକୁ ମିଳିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.