banner
Breaking

କଟକ ବାଲିଯାତ୍ରା ପଡ଼ିଆରେ ବୈଶାଖୀ ବାଣିଜ୍ୟ ମେଳା

0

କଟକ, ୭ା୫: କଟକ ଉପର ବାଲିଯାତ୍ରା ପଡିଆରେ ସପ୍ତଦଶ କଟକ ବୈଶାଖୀ ବାଣିଜ୍ୟ ମେଳା ଶୁକ୍ରବାର ଆରମ୍ଭ ହୋଇଛି। ଏହାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଉଦ୍‌ଘାଟନ କରି କହିଲେ, କୋଭିଡ୍‌ ମହାମାରୀ ଯୋଗୁ ୨ ବର୍ଷ ହେବ ମେଳା ବନ୍ଦ ରହିଥିଲା। ଚଳିତବର୍ଷ ମେଳା ଆୟାଜନ କରାଯାଇଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ମେଳା ଉପଭୋଗ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ରୁଚି ଏମ୍‌ଡି ଶରତ ସାହୁ, ମଧୁସୂଦନ ସାହୁ, ଆଶିର୍ବାଦ ବେହେରା, ବିନୋଦ ଦାସ, ରଞ୍ଜନ ବିଶ୍ୱାଳ, ଦେବୀ ପ୍ରସାଦ ଦାସ, ଦିଲ୍ଲୀପ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ା ତେବେ ୨ ବର୍ଷପରେ ସିଲଭର ସିଟିରେ ମେଳା ପଡ଼ିଥିବାରୁ ସହରବାସୀଙ୍କ ମନରେ ଉତ୍ସାହ ଦେଖାଯାଇଛି ା ମେଳା ବୁଲିବା ସହିତ ଦୋଳି ଖେଳି ସୁସ୍ବାଦୁ ଭୋଜନ ଓ କିଣାକିଣିର ମଜା ନେଇଛନ୍ତି ଲୋକେ। ଏହି ମେଳାରେ ମୋଟ୍‌ ୪୫୦ ଷ୍ଟଲ୍‌ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଥମ ଦିନରେ କିଛି ଦୋକାନ ବନ୍ଦ ଥିଲା। ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜମ୍ମୁ-କଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସିଛନ୍ତି। ଏଥିସହ ଓଡ଼ିଶାର ବିଭିନ୍ନ ଜିଲାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ବ୍ୟବସାୟୀ ଯୋଗଦେଇଛନ୍ତି। ଏଠାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଖାଦ୍ୟର ଷ୍ଟଲ ପଡିଛି। ଏଥିସହ ମିନାବଜାର ଓ ଦୋଳି ମଧ୍ୟ ଉପଲବ୍ଧ ଅଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳାରେ ଦୋକାନ ଖୋଲା ରହିବ।

Khansweb Solution Bhubaneswar

Leave A Reply

Your email address will not be published.