banner
Breaking

ବିନା ଆଡମ୍ବରରେ ହେବ କଟକ ଦୁର୍ଗାପୂଜା।

0

କଟକ ,୨୯ା୮: କରୋନା କଟକଣା ଭିତରେ ଛନ୍ଦି ହୋଇପଡ଼ିଛି ପାର୍ବଣର ସହର କଟକ ଦଶହରା। ପ୍ରଥମଥର ପାଇଁ ରୌପ୍ୟନଗରୀର ପୂଜା ମଣ୍ଡପରେ ଚାନ୍ଦିମେଢ଼ ଦେଖିବାକୁ ମିଳିବ ନାହିଁ କି ମା’ଙ୍କ ମଥାରେ ସୁନା ମୁକୁଟ ଝଲସିବ ନାହିଁ। ବିନା ଆଡ଼ମ୍ବରରେ ମା’ଙ୍କ ପୂଜା ହେବ। ଭସାଣ ଯାତ୍ରା ହେବନାହିଁ। କେବଳ ବିସର୍ଜନରେ ସରିବ ଦଶହରା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଡିସିପିଙ୍କ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ବସିଥିଲା। ଦଶହରା, କାଳିପୂଜା ଓ କାର୍ତ୍ତିକେଶ୍ୱର ପୂଜା ପାଇଁ ଏଥିରେ ଆଲୋଚନା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କା ଭିତରେ ଯଦିଓ କଟକ ଦଶହରା ଆୟୋଜନ ହେବ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ପୂର୍ବର ସେ ପାର୍ବଣ ଚମକ ଏଥର ରହିବ ନାହିଁ। କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି ଚଳିତବର୍ଷ ଦଶହରା ସମ୍ପନ୍ନ ହେବ। ଶୁକ୍ରବାର ବୈଠକରେ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟିର କର୍ମକର୍ତ୍ତା ଉପସ୍ଥିତ ରହି କେତେକ ପ୍ରସ୍ତାବ ଆଗତ କରିଥିଲେ। ପୂଜା ମଣ୍ଡପଗୁଡ଼ିକୁ କପଡ଼ା ବାନ୍ଧି ଆବଦ୍ଧ କରାଯିବ। ମୂର୍ତ୍ତି ନିର୍ମାଣ ହେବ। ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ। ମାଟିଉଠା ସରିଥିବାରୁ କେବଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଏବେ ଅପେକ୍ଷା ରହିଛି। ସ୍ଥିତି ଏପରି ହୋଇଛି ଯେ ଏପରିକି ଘଟ କିମ୍ବା ଫଟୋ ରଖି ଦଶହରା ପୂଜା ଶେଷ କରିବାକୁ କଟକର ବିଭିନ୍ନ ପୂଜା କମିଟି ପ୍ରସ୍ତୁତ ହୋଇଛନ୍ତି। ପୂଜା ମଣ୍ଡପଗୁଡ଼ିକରେ ୫/୭ ଜଣ ଲୋକ ରହିବେ। ଅଷ୍ଟମୀ ପୂଜା ଦିନ ମଣ୍ଡପରେ ମହିଳାଙ୍କ ବିଶେଷ ଭିଡ଼ ଜମେ। କିନ୍ତୁ ଚଳିତବର୍ଷ ଅଷ୍ଟମୀ ଦିନ କୌଣସି ମହିଳା କିମ୍ବା ବ୍ୟକ୍ତିବିଶେଷଙ୍କୁ ମଣ୍ଡପକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ପୂଜା ସାମଗ୍ରୀ ମଧ୍ୟ ଗ୍ରହଣ କରାଯିବ ନାହିଁ। ପୂଜା କମିଟି ଅଧୀନରେ ରହୁଥିବା ବାସିନ୍ଦାଙ୍କ ପାଖରେ କିପରି ଅଷ୍ଟମୀ ଭୋଗ ପହଞ୍ଚତ୍ବ, ତାହା କମିଟି କର୍ମକର୍ତ୍ତା ବୁଝିବାକୁ ବୈଠକରେ କୁହାଯାଇଛି। ଏହି ବୈଠକରେ ଡିସିପି ପ୍ରତୀକ ସିଂ, କଟକ ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ, କଟକ ମହାନଗର ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ଓ ଅନ୍ୟ କିଛି ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ସୋମବାର କଟକର ରାଜନୈତିକ ନେତୃବୃନ୍ଦ ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପୁର୍ନବାର ଏକ ବୈଠକ ବସିବ। ସେଥିରେ କଟକ ଦଶହରା ସମ୍ପର୍କିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ।

Khansweb Solution Bhubaneswar

Leave A Reply

Your email address will not be published.