banner
Breaking

କଟକ ବାଲିଯାତ୍ରା ପଠା ହେବ ଆକର୍ଷଣୀୟ ସ୍ଥଳ।

0

କଟକ, ୧୪ା୧୨(ଓଡ଼ିଆ ନ୍ୟୁଜ): କଟକର ବାଲିଯାତ୍ରା ପଠାରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ ପଠାର ୪୦୦ ଏକର ପରିମିତ ଜାଗାକୁ ଚିହ୍ନଟ କରାଯାଇଛି। ଏଠାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ, ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ, ବୋସ ଇଞ୍ଜିନିୟରିଂ ସ୍କୁଲର ସମ୍ପ୍ରସାରଣ, ପଞ୍ଚତାରକା ହୋଟେଲ ନିର୍ମାଣ ସହ ସରକାରୀ କାର୍ଯ୍ୟାଳୟମାନ ମଧ୍ୟ ସ୍ଥାନାନ୍ତର କରାଯିବ। ଏହି ପ୍ରକଳ୍ପର ନାମ ବାଲିଯାତ୍ରା ରିଭରଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ (ବର୍‌ଫି) ରଖାଯାଇଛି। ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତରେ ଆସି ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ଏହି ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରିବା ସହିତ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକାରିତା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶଥାଉ କି, କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ବାଲିଯାତ୍ରା ପାର୍ଶ୍ୱ ମହାନଦୀ ପଠାରୁ ୧୦୦ ଫୁଟ ଚଉଡା ୩.୫ କି.ମି. ପରିଧି ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ପର୍ଯ୍ୟନ୍ତ ଅଞ୍ଚଳକୁ ବାଲିରେ ପୋତାଯାଇ ବୃକ୍ଷରୋପଣ, ଚଲାପଥ, ବସିବା ପାଇଁ ସିମେଣ୍ଟ ବେଞ୍ଚ ଆଦି ନିର୍ମାଣ କରାଯିବ। ସେହିପରି ଏହି ପ୍ରକଳ୍ପ ସହିତ ରିଂରୋଡକୁ ସଂଯୋଗ କରାଯାଇ ବାଇପାସ ରୋଡ ନିର୍ମାଣ କରାଯିବ। ବାଇପାସ ରୋଡ ନିର୍ମାଣ ହେବା ଯୋଗୁ ବାଲିଯାତ୍ରା ସମୟରେ ହେଉଥିବା ଭିଡ଼କୁ ରୋକି ହେବ ବୋଲି ଜିଲାପାଳ ଚୟନୀ କହିଛନ୍ତି। ଏହି ପ୍ରକଳ୍ପର ଉନ୍ନତୀକରଣ କାର୍ଯ୍ୟ ରାଜସ୍ବ, ଜଳ ସମ୍ପଦ, ପୂର୍ତ୍ତ, ଗୃହ ନଗର ଉନ୍ନୟନ, କ୍ରୀଡା, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସହଯୋଗରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଦ୍ୱାରା କରାଯିବ। ଏହି ପ୍ରକଳ୍ପ ଫଳରେ କଟକ ସହରବାସୀ ବହୁ ଉପକୃତ ହେବା ସହ ସମଗ୍ର ଜିଲାର ବହୁ ଉନ୍ନତି ହେବ ବୋଲି ମନ୍ତ୍ରୀ ଜେନା କହିଛନ୍ତି ା ତେବେ ଏହି ପ୍ରକଳ୍ପକୁ ନେଇ ଏବେ ପରିବେଶଜନିତ ପ୍ରଶ୍ନ ଉଠିଛି। ଅତୀତରେ ବାଲିଯାତ୍ରା ଦ୍ୱାରା ମହାନଦୀର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଥିଲା। ବାଲିଯାତ୍ରା କରିବା ପାଇଁ ଏନ୍‌ଜିଟିଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜିଲା ପ୍ରଶାସନକୁ ଦିଆଯାଇଥିଲା। ଏବେ ମହାନଦୀ ପଠାରେ ଏହି ବୃହତ୍‌ ପ୍ରକଳ୍ପ ନଦୀର ଜୈବ ବିବିଧତାକୁ ପ୍ରଭାବିତ କରିବ କି ବୋଲି ପ୍ରଶ୍ନରେ ସେଥିପ୍ରତି ଧ୍ୟାନ ଦିଆଯାଇଥିବା ଜିଲାପାଳ ଚୟନୀ କହିଛନ୍ତି। ବାରବାଟୀରେ ଅନେକ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। ମାତ୍ର ଖେଳାଳିମାନେ ରହିବା ପାଇଁ ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ନାହିଁ। ସେହିପରି ସହରରେ ଗୋଟିଏ ରିକ୍ରିଏସନ ହବ୍‌ ମଧ୍ୟ ନାହିଁ। ଏବେ ବର୍‌ଫି ଏହି ସମସ୍ତ ଅଭାବ ଅସୁବିଧାକୁ ପୂରଣ କରିବା ସହିତ କଟକର ଗରିମାକୁ ବୃଦ୍ଧି କରିବ ବୋଲି ଜିଲାପାଳ କହିଛନ୍ତି। ବାଲିଯାତ୍ରା ସହିତ କଟକର ସମ୍ପର୍କ ରହିଛି। ତେଣୁ ଉକ୍ତ ପ୍ରକଳ୍ପର ନାମକୁ ବାଲିଯାତ୍ରା ସହିତ ଯୋଡାଯାଇଥିବା ସେ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.