banner
Breaking

ଭିଜିଲାନ୍ସ ହାତରେ ଟେଷ୍ଟବୁକ ସହକାରୀ ନିର୍ଦ୍ଦେଶକ

0

କଟକ , ୬।୧୧(ଓଡ଼ିଆ ନ୍ୟୁଜ):ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେନାପତି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏହି ଲାଞ୍ଚ କଟକର ନିର୍ମଳ କୁମାର ଜେନା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗ୍ରହଣ କରୁଥିଲେ। ନିର୍ମଳ ହେଉଛନ୍ତି ତାରେଣୀ ଏଣ୍ଟରପ୍ରାଇଜର୍ସର ଜଣେ ଅଂଶୀଦାର (ପାର୍ଟନର)। ଜେନାଙ୍କୁ ଅଧିକ ବହି ଛପାଇବା ନିମନ୍ତେ କାର୍ଯ୍ୟାଦେଶ ଦେବାକୁ ସେନାପତି ଏହି ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ଜେନା ୬୩୦୦ ବହି ଛପାଇବା କାର୍ଯ୍ୟାଦେଶ ପାଇଛନ୍ତି। ମଙ୍ଗଳବାର ନିଜ ଅଫିସ ଚାମ୍ବରରେ ବସି ସହକାରୀ ନିର୍ଦ୍ଦେଶକ ସେନାପତି ପୂର୍ବ ଦାବି ଅନୁଯାୟୀ ନିର୍ମଳଙ୍କଠାରୁ ୨୦ ହଜାର ଟଙ୍କା ଗ୍ରହଣ କରିଥିଲେ। ଏହି ସମୟରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ସେନାପତିଙ୍କ କଟକସ୍ଥିତ ଘର ଓ ଭୁବନେଶ୍ୱରସ୍ଥ ସରକାରୀ କ୍ବାର୍ଟର୍ସକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ତାଙ୍କ ଘରୁ ନଗଦ ୧୮ ଲକ୍ଷ ୩୦ହଜାର ଟଙ୍କା ଓ ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୫୧/୨୦୧୯ରେ ଏକ ମାମଲା ରୁଜୁ କରାଯିବା ସହ ସେନାପତିଙ୍କୁ ଗିରଫ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.