banner
Breaking

ନଭେମ୍ବର ୪ ରୁ ଚାଲିବ ହାଇକୋର୍ଟ। ଆନ୍ଦୋଳନ ସ୍ଥଗିତ

0

କଟକ,୧।୧୧: ବିଭିନ୍ନ ଦାବି ନେଇ ପ୍ରାୟ ଦୁଇ ମାସ ଧରି ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଜାରି ରହିଥିବା କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବାକୁ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ। ହାଇକୋର୍ଟ ବାର୍‌ ଆସୋସିଏଶନ୍‌ର ସାଧାରଣ ପରିଷଦ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ କଲେଜିୟମ ବ୍ୟବସ୍ଥାରେ ସୁଧାର, ନ୍ୟାଶନାଲ ଜୁଡ଼ିସିଆଲ ଆପଏଣ୍ଟମେଣ୍ଟ କମିଶନଙ୍କ ଦ୍ୱାରା ହାଇକୋର୍ଟ ବିଚାରପତି ନିଯୁକ୍ତି, ଓଡ଼ିଶା ହାଇକୋର୍ଟ ଏବଂ ନିମ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ଆଦି ଦାବି ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ଆନ୍ଦୋଳନ ଚାଲିଛି। ଆସୋସିଏଶନ ପକ୍ଷରୁ ପ୍ରଥମେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଦାଲତ ବର୍ଜନ କରାଯାଇଥିଲା। ଗତ ୧୪ ତାରିଖରେ ହାଇକୋର୍ଟଙ୍କ ସମସ୍ତ ଖଣ୍ଡପୀଠଙ୍କ ଅଦାଲତକୁ ଆଇନଜୀବୀ ବର୍ଜନ କରିଥିଲେ। ପରେ ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ ବାର୍‌ ଆସୋସିଏଶନ ସାମିଲ ହୋଇଥିଲେ। ଏ ନେଇ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏଥିରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ୬୮ଟି ବାର୍‌ ଆସୋସିଏଶନକୁ ପକ୍ଷଭୁକ୍ତ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସହ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ସେହିପରି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସମେତ ଅଦାଲତ ଅବମାନନା ମାମଲାରେ ପକ୍ଷଭୁକ୍ତ ସମସ୍ତ ୬୮ଟି ବାର୍‌ ଆସୋସିଏଶନକୁ ତୁରନ୍ତ ଆନ୍ଦୋଳନରୁ ଓହରିଯିବା ପାଇଁ ଗତ ୨୬ତାରିଖରେ ବିସିଆଇ ପକ୍ଷରୁ କୁହାଯାଇଥିଲା। ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ବେ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ମହାନ୍ତି କହଥିଲେ।

Khansweb Solution Bhubaneswar

Leave A Reply

Your email address will not be published.