banner
Breaking

ଦାୟିତ୍ୱ ଗ୍ରହଣ କଲେ ପୋଲିସ ମହାନିର୍ଦ୍ଦେଶକ

0

କଟକ ,୧ା୧: ଓଡ଼ିିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପୂର୍ବତନ ଡିଜିପି ଅଭୟ ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ। ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀମାନେ ନୂତନ ଡିଜିପି ବଂଶଲଙ୍କୁ ସ୍ବାଗତ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ ପରେ ନୂତନ ଡିଜିପି ବଂଶଲ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଛନ୍ତି, ମୋ’ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ରଖି ଗୁରୁଦାୟିତ୍ୱ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ଓଡ଼ିିଶାବାସୀଙ୍କୁ ସେବା ଓ ସୁରକ୍ଷା ଯୋଗାଇଦେବା ଉପରେ ପ୍ରାଥମିକତା ରହିବ। ବିଶେଷକରି ରାଜ୍ୟର ଦୁର୍ବଳ, ଅସହାୟ, ଆଦିବାସୀ, ବୟସ୍କ ଓ ମହିଳାଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଯେଉଁମାନେ ଥାନାକୁ ଆସିପାରୁ ନାହାନ୍ତି, ପୋଲିସ ତାଙ୍କ ପାଖରେ ପହଞ୍ଚତ୍ବ।
ସେହିପରି ଏବେ କରୋନା ମହାମାରୀ କମି ନ ଥିବାରୁ ଓଡ଼ିଶା ପୋଲିସ ସଜାଗ ରହିବ। ସାଇବର କ୍ରାଇମ ରୋକିବା ନେଇ ସେ କହିଛନ୍ତି, ନିକଟରେ ରାଜ୍ୟ ସରକାର ୧୪ଟି ଥାନା ଓ ସାଇବର ଥାନା ଲୋକାର୍ପଣ କରିଛନ୍ତି। ଏହା ସାଇବର ଅପରାଧ ଦମନ ଦିଗରେ ବେଶ୍‌ ସହାୟକ ହେବ। ଆଗକୁ ବିଭାଗରେ ଅଧିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ ସହ ସଚେତନ ଓ ସତର୍କତା ଦ୍ୱାରା ସାଇବର ଅପରାଧକୁ ରୋକାଯିବ। ମାଓବାଦୀ ଦମନ ଓ ନିଶା କାରବାର ରୋକିବା ନେଇ ନୂତନ ଡିଜିପି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ମାଓବାଦୀ ମୁକାବିଲା ସ୍ଥିତି ଭଲ ରହିଛି। ପଡ଼ୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟ ମାଓବାଦୀପ୍ରବଣ ରାଜ୍ୟ ସହ ମିଶି ମୁକାବିଲା କରାଯିବ। ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା ସହ ନିଶା କାରବାର ଦିଗରେ କଠୋର ପଦକ୍ଷେପ ନିଆଯିବ। ସେହିପରି ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନାକୁ ଦୃଢ ହସ୍ତରେ ଦମନ କରାଯିବ। ଏ ନେଇ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ସ୍ବତନ୍ତ୍ର ସେଲ କାର୍ଯ୍ୟ କରୁଛି। ସେହି ସେଲ୍‌ରେ ଅଧିକ ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଆଇନଶୃଙ୍ଖଳା ଯୋଗୁ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି କି ପ୍ରଶ୍ନରେ ସେ କହିଛନ୍ତି, ପୋଲିସ ବିଭାଗରେ ସର୍ବଦା ଚ୍ୟାଲେଞ୍ଜ ରହିଥାଏ। ତେବେ ତଦନ୍ତକୁ ପ୍ରାଥମିକତା ଦିଆଯାଏ। ରାଜ୍ୟକୁ ଅପରାଧମୁକ୍ତ କରାଯିବା ଦିଗରେ କଠୋର ପଦକ୍ଷେପ ନିଆଯିବ ବୋଲି ବଂଶଲ କହିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ନେଇ ସେ କହିଛନ୍ତି, ନିର୍ବାଚନକୁ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ କରାଯିବାକୁ ପଦକ୍ଷେପ ନିଆଯିବ। କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ନୂତନ ଡିଜିପି ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ନେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ’ ସରକାର ଓ ୫-ଟି ବ୍ୟବସ୍ଥା ଲାଗୁ କରିଛନ୍ତି। ଏହା ଅତ୍ୟନ୍ତ ଅଭିନବ ଯୋଜନା। ମୋ’ ସରକାର ଯୋଗୁ ରାଜ୍ୟରେ ଅପରାଧ କମିବା ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରୁଛି। ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ପୋଲିସ ବିଭାଗରେ କଡ଼ାକଡ଼ି ଭାବେ ଅନୁପାଳନ କରାଯିବ। ସ୍ବଚ୍ଛତା ଓ ଜ୍ଞାନକୌଶଳ ଉପଯୋଗ କରି ଦୁର୍ନୀତିକୁ ରୋକାଯାଇପାରିବ।

Khansweb Solution Bhubaneswar

Leave A Reply

Your email address will not be published.