banner
Breaking

ସୁନାମଧନ୍ୟା ସାହିତ୍ୟିକା ମନୋରମା ମହାପାତ୍ରଙ୍କ ପରଲୋକ

0

ଭୁବନେଶ୍ୱର : ବିଶିଷ୍ଟ ତଥା ସୁନାମଧନ୍ୟା ସାହିତ୍ୟିକା, କବୟତ୍ରି, ସାମ୍ବାଦିକା, ସମ୍ପାଦିକା, ସମାଜସେବୀ, ଅଧ୍ୟାପିକା ତଥା ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଆଜି କଟକ ବଡ଼ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ସେ ବେଶ୍‌ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗତ ଦୁଇ ଦିନ ତଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

୧୯୩୪ ମସିହା ଜୁନ୍‌ ୧୦ରେ ଆଠଗଡ଼ର ରାଧାନାଥପୁର ଶାସନରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ଲୋକସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ । ଜଣେ ଉଚ୍ଚକୋଟୀର କବି, ସାମ୍ବାଦିକ ଓ ସମାଜସେବୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଜଣେ ଓଜସ୍ବିନୀ ବକ୍ତା ଭାବେ ସେ ଅଶେଷ ଲୋକପ୍ରିୟତା ହାସଲ କରିଥିଲେ। ବିଶେଷ କରି ମାନବବାଦୀ, ସାମ୍ୟବାଦୀ ଓ ବୈପ୍ଳବିକ ଚିନ୍ତାଧାରା ତାଙ୍କ ସାହିତ୍ୟ କୃତିରେ ପରିସ୍ଫୁଟିତ ହୋଇଛି। ସେ ଓଡ଼ିଶା ସାହିତ୍ୟ ଏକାଦେମୀ ପୁରସ୍କାର, ସୋଭିଏତ୍‌ଲାଣ୍ଡ ପୁରସ୍କାର ଆଦି ଅନେକ ମର୍ଯ୍ୟାଦା ଜନକ ପୁରସ୍କାର ଲାଭ କରିବା ସହିତ ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡି.ଲିଟ୍‌ ଉପାଧି ଲାଭ କରିଥିଲେ।
ତାଙ୍କ ସାହିତ୍ୟକୃତି ମଧ୍ୟରେ ଜୁଆର ଯେଉଁଠି ଉଠେ, ଅର୍ଦ୍ଧନାରୀସ୍ୱର, ବୈଦେହୀ ବିସର୍ଜିତା, ସ୍ମୃତିଚନ୍ଦନ, ଆମେ ସବୁ ନୀରବ ଦର୍ଶକ ଉ‌େ‌ଲ୍ଲଖନୀୟ। ଏହାଛଡ଼ା ଏ ପୃଥିବୀ ଶରଶଯ୍ୟା (କ୍ଷୁଦ୍ରଗଳ୍ପ ସଙ୍କଳନ), ବନ୍ଦ ଘରର କବାଟ(କ୍ଷୁଦ୍ରଗଳ୍ପ), ରତ୍ନଦ୍ୱୀପ (ଅନୁଦିତ ଉପନ୍ୟାସ), ବଣ ରାଇଜର କଥା (ଶିଶୁଗଳ୍ପ ସଙ୍କଳନ), ସମସାମୟିକ ଋଷୀୟ କବିତା (ଅନୁଦିତ ଋଷୀୟ କବିତା ସଙ୍କଳନ), ବନ୍ଦ ଘରକୀ କବାଟ(ହିନ୍ଦୀ ଗଳ୍ପ ସଙ୍କଳନ), ଉତ୍ତରା ନିରୁତ୍ତରା(ଗଳ୍ପ ସଙ୍କଳନ), ଗୋମୁଖ ଯାତ୍ରା(ଅନୁବାଦ ଶିଶୁ ସାହିତ୍ୟ), ଆଈମାଆଙ୍କ ବିଜ୍ଞାନ ମୁଣି (ବିଜ୍ଞାନ ଗଳ୍ପ), ଆମରି ଭାରତମାତା(ଶିଶୁକବିତା), ବିରାଡ଼ିମାନଙ୍କ ଅନଶନ(ଶିଶୁ ସାହିତ୍ୟ), ଶ୍ରୀରାମକୃଷ୍ଣ ପରମହଂସଦେବ(ଅନୁବାଦ), ଶୋଧ(ତସଲିମା ନସରିନ) ଆଦି ରହିଛି।

୧୯୮୪ରେ ସେ ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିଲେ। ୨୦୧୨ରେ ସେ ଶାରଳା ସମ୍ମାନ  ଲାଭ କରିଥିଲେ। ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ମହିଳା ସମ୍ପାଦିକା ଥିଲେ।
ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍‌ ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଜଣେ ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମାଜର ସଂପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ। ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ବିୟୋଗରେ ଓଡିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.