banner
Breaking

ରାଜ୍ୟରେ ବଢୁଛି ଅପରାଧ

0

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ଏକଥା ଖୋଦ୍‌ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୋମବାର ୨୦୨୨ ବର୍ଷ ପାଇଁ ପ୍ରକାଶିତ ଶ୍ୱେତପତ୍ରରେ ଉଲ୍ଲେଖ ରହିଛି। ୨୦୨୧ରେ ରାଜ୍ୟରେ ୧,୫୫, ୪୨୦ ଆପରାଧିକ ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ସେଥିରୁ ୧,୬୯,୭୩୫ଟି ମାମଲା ସତ୍ୟ ଆଧାରିତ ଥିବାବେଳେ ୧,୧୮, ୫୪୭ ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଛି। ୨୦୨୨ରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୩,୧୮୪ଟି ବଳାତ୍କାର, ୧,୩୭୯ଟି ହତ୍ୟା, ୨,୯୯୮ଟି ଲୁଣ୍ଠନ, ୫,୪୭୭ ସନ୍ଧିଚୋରି, ୧୪,୮୯୩ ଚୋରି, ୬୨୬ଟି ଡକାୟତି, ୫,୩୫୨ ପ୍ରତାରଣା. ୨,୨୪୮ଦଙ୍ଗା, ୧୧,୬୬୩ ମୋଟରଯାନ ଦୁର୍ଘଟଣା ଏବଂ ୧୩,୩୮୦ଟି ଅନ୍ୟାନ୍ୟ ମାମଲା ରହିଛି। ୩,୧୪୮ ବଳାତ୍କାର ମାମଲା ମଧ୍ୟରୁ ୩,୧୩୫ ମାମଲା ସତ୍ୟ ଅଟେ। ସେଥିରୁ ବର୍ଷ ଶେଷ ସୁଦ୍ଧା ୨,୨୩୭ଟିରେ ଚାର୍ଜଶିଟ ଦାଖଲ କରାଯାଇଛି। ଶ୍ୱେତପତ୍ରରେ କୁହାଯାଇଛି ଯେ, ଆପରାଧିକ ମାମଲା ବୃଦ୍ଧି ସତ୍ତ୍ୱେ ୨୦୨୨ରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ସେହିପରି ରାଜ୍ୟରେ ୨୭ଟି ମାଓବାଦୀ ଘଟଣା ଘଟିଛି। ଏଥିରେ ୭ ମାଓବାଦୀଙ୍କ ମୃତ୍ୟୁ ହେବାସହ ୧୨ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ-ମାଓବାଦୀ ମଧ୍ୟରେ ୧୨ଥର ଗୁଳିବିନିମୟ ଘଟଣା ଘଟିଥିବାବେଳେ ଏଥିରେ ୩ ଜଣ ସୁରକ୍ଷାକର୍ମୀ ଶହୀଦ ଏବଂ ୮ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ରେ ୨୨୪୮ଟି ଦଙ୍ଗା ମାମଲା ରୁଜୁ ହୋଇଛି। ସେଥିରୁ ୨,୧୭୨ଟି ମାମଲା ସତ୍ୟ ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ୧,୩୬୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ୩,୧୪୮ଟି ବଳାତ୍କାର ମାମଲା ଋଜୁ ହୋଇଛି। ସେଥିମଧ୍ୟରୁ ୩,୧୩୫ଟି ସତ୍ୟ ମାମଲା ବୋଲି ଜଣାପଡ଼ିଛି। ତେବେ ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ହତ୍ୟା ମାମଲା କମିଛି। ପଞ୍ଜିକୃତ ୧,୩୭୯ଟି ହତ୍ୟା ଘଟଣା ମଧ୍ୟରୁ ୧,୩୦୧ଟି ମାମଲା ସତ୍ୟ ଥିବା ଜଣାପଡିଛି। ସେହିପରି ରାଜ୍ୟରେ ୬୨୬ ଡକାୟତି ଘଟଣା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୬୧୪ଟି ମାମଲା ସତ୍ୟ ବୋଲି ଜଣାପଡ଼ିଛି। ପଞ୍ଜୀକୃତ ହୋଇଥିବା ୫,୩୫୨ଟି ପ୍ରତାରଣା ମାମଲା ମଧ୍ୟରୁ ୫,୦୪୬ଟି ମାମଲା ସତ୍ୟ ବୋଲି ରିପୋର୍ଟରେ କୁହାଯାଇଛି। ୫,୪୭୭ ସିନ୍ଧିଚୋରି ମାମଲା ମଧ୍ୟରୁ ୫,୩୮୨ଟି ମାମଲା ସତ୍ୟ ଅଟେ। ବର୍ଷ ଶେଷ ସୁଦ୍ଧା ୧,୮୦୦ ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ କରାଯାଇଛି। ଉକ୍ତ ମାମଲାରେ ୩,୦୮୦ ଜଣଙ୍କୁ ଗିରଫ କରାଯିବା ସହ ୫୦,୨୬, ୫୦,୭୦୯ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ମଧ୍ୟରୁ ୧୦,୮୨,୦୦,୯୭୮ ଟଙ୍କା ଜବତ ହୋଇଛି।
ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ହୋଇ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ୧୪ ଥର ଗୁଳି ଚାଳନା କରାଯାଇଛି। ରାଜ୍ୟରେ ବିଭିନ୍ନ ରାଜ୍ୟନୈତିକ ଦଳ ଓ ସଂଗଠନ ୨୯୪ ଥର ରାସ୍ତାରୋକ କରିଥିବା ବେଳେ ୧୮ଥର ରେଳ ରୋକୋ, ୧,୪୦୩ ଥର ଧାରଣା, ୬୮୪ ଥର ରାଲି, ୧,୪୭୭ ଥର ବିକ୍ଷୋଭ, ୭୩ଥର ଅନଶନ, ୪୯ ଥର ଘେରାଓ କରାଯାଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.