banner
Breaking

ରାଜଧାନୀରୁ ମଦ ଜବତ।ବେପାରୀ ଗିରଫ

0

ଭୁବନେଶ୍ୱର,୨୪/୪(ବ୍ୟୁରୋ): କରୋନା ପାଇଁ ଲକ୍‌ ଡାଉନ୍‌ରେ ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ରାଜଧାନୀରେ ଚାଲିଛି ଖୋଲାଖୋଲି ମଦ ବେପାର । ଭିନ୍ନ ଭିନ୍ନ ଉପାୟରେ ମଦବେପାରୀ ଚଳାଇଛନ୍ତି ବେଧଡ଼କ କାରବାର । ନୂଆପଲ୍ଲୀ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଆଇଆରସି ଭିଲେଜସ୍ଥିତ ଏକ ଘରେ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେପାରୀକୁ ଗିରଫ କରିଛି । ତାଙ୍କ ନାମ ବଳରାମ ପଣ୍ଡା(୨୮) । ଘର ଗଞ୍ଜାମ ଦିଗପହଣ୍ଡି । ସେ ଆଇଆରସି ଭିଲେଜରେ ଘର ଭଡ଼ା ନେଇ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ବଳରାମ ମଦ ଦୋକାନ ବନ୍ଦ ହେବାର ସୁଯୋଗରେ ଚୋରାରେ ମଦ କାରବାର କରୁଥିଲେ । ଖୋର୍ଦ୍ଧାରୁ ଚୋରାରେ ବିଦେଶୀ ମଦ ଆଣି ଦୁଇଗୁଣା ଅଧିକ ଦାମ୍‌ରେ ବିକ୍ରି କରୁଥିଲେ । ପୁଲିସକୁ ଚକ୍‌ମା ଦେଇ ଚଳାଇଥିଲେ ବେଧଡ଼କ କାରବାର । ପୁଲିସ ଦୁଇଦିନ ହେବ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ହେଲେ ଧରିପାରୁ ନଥିଲା । ଗତକାଲି ରାତିରେ ପୁଲିସ ଅଚାନକ ବଳରାମଙ୍କ ଭଡ଼ା ଘରେ ଚଢ଼ଉ କରିଥିଲା । ହେଲେ ଘର ଭିତରୁ କିଛି ପାଇ ନଥିଲା । ଘର ପଛପଟେ ଏକ ବଡ଼ ବାକ୍ସରେ ବଳରାମ ମଦ ଲୁଚାଇ ରଖିଥିଲେ । ପୁଲିସ ଖୋଜାଖୋଜି କରି ଉକ୍ତ ମଦ ଭର୍ତ୍ତି ବାକ୍ସକୁ ପାଇଥିଲା । ସେଥିରେ ୧୦୪ ବୋତଲ ଦାମୀ ମଦ ଥିଲା । ପୁଲିସ ମଦକୁ ଜବତ କରିବା ସହ ବଳରାମଙ୍କୁ ଗିରଫ କରିଥିଲା । ଆଜି ବଳରାମଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଥାଉକି, କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍ସନ୍‌ ଟିମ୍‌ ଗତକାଲି ତମାଣ୍ଡୋ ଗୋହିରା ଛକରୁ ବିପୁଳ ମଦ ଭର୍ତ୍ତି କାର୍‌ ଜବତ କରିଥିଲା । ମଦ ଚୋରା କାରବାର ଅଭିଯୋଗରେ ପୁଲିସ ଜରେ ଢାବା ମାଲିକଙ୍କୁ ଗିରଫ କରିଥିଲା । ସେହିପରି କୁଇକ୍‌ ଆକ୍ସନ୍‌ ଟିମ୍‌ ୨୧ ତାରିଖରେ ବରମୁଣ୍ଡାରେ ଚଢ଼ଉ କରି ବିପୁଳ ମଦ ସହ ଏକ ଦାମୀ କାର୍‌ ଜବତ କରିଥିଲା । ମଦ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.