banner
Breaking

ଚାକିରୀ ଦେବା ଆଳରେ କୋଟି କୋଟି ଠକେଇ

0

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପୋଲିସ ଚାକିରି କରାଇଦେବାକୁ କହି ବଡ ଧରଣର ଠକେଇ ହୋଇଛି। ଏଭଳି ୩୮ଜଣ ଆଶାୟୀଙ୍କଠାରୁ ମୋଟ ୧କୋଟି ୪୭ ଲକ୍ଷ ଠକିଥିବା ଅଭିଯୋଗରେ ୨ଜଣଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ୍‌ ମହାରଣା। ଅଭିଯୁକ୍ତ ବୈକୁଣ୍ଠନାଥଙ୍କ ନିକଟରୁ ନକଲି ଆଇ କାର୍ଡ, ୧୨ଟି ଏଟିଏମ୍‌ କାର୍ଡ, ଟଙ୍କା ନେଣଦେଣର ଚୁକ୍ତିପତ୍ର ସମେତ ଅନ୍ୟାନ୍ୟ ତଥ୍ୟ ପ୍ରମାଣଯୁକ୍ତ କାଗଜପତ୍ର ଇଓଡବ୍ଲ୍ୟୁ ଜବତ କରିଛି। ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଅଚଳ କରିଛି। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ଇଓଡବ୍ଲ୍ୟୁ ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦-ବି ଦଫାରେ ଏକ କେସ୍‌ (ନଂ.୧୫/୨୧) ରୁଜୁ କରିଛି। ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପରିଚୟ ସମ୍ବନ୍ଧରେ ଇଓଡବ୍ଲ୍ୟୁ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ। ସେମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। ଏଥିସହ ଅଭିଯୁକ୍ତଙ୍କ ଦ୍ୱାରା ଅନ୍ୟ କେହି ଠକାମିର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଇଓଡବ୍ଲ୍ୟୁ ନିବେଦନ କରିଛି।
ସୂଚନା ଅନୁଯାୟୀ, ୨୦୧୩ ମସିହାରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ପକ୍ଷରୁ ସବ୍‌ଇନ୍ସପେକ୍ଟର, ଡେପୁଟି ସୁବେଦାର ପ୍ରଭୃତି ପୋଲିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୦୧୫ରୁ ୨୦୧୬ ମଧ୍ୟରେ ମେନ୍‌, ଫିଜିକାଲ୍‌, ପ୍ରିଲିମିନାରି ଓ ଭାଇଭା ଆଦି ପରୀକ୍ଷା ହୋଇଥିଲା। ଆଶାୟୀ ବାଦଲ କୁମାର ରାଉଳଙ୍କ ସମେତ ୩୮ ଜଣ ପରୀକ୍ଷାର ସମସ୍ତ ସୋପାନ ଅତିକ୍ରମ କରି ଭାଇଭା ଦେଇଥିଲେ। ତେବେ ଏହି ପରୀକ୍ଷାର ଭାଇଭା ପାଇଁ ୨୦୧୬ରେ ଯେଉଁ ତାଲିକା ବାହାରିଥିଲା ସେଥିରେ ଏହି ୩୮ ଜଣଙ୍କ ନାଁ ନ ଥିଲା। ଏହାପରେ ଏକ ସପ୍ଲିମେଣ୍ଟାରି ତାଲିକା ବାହାରିବ ଏବଂ ସେଥିରେ ଏମାନଙ୍କ ନାଁ ରହିବ ବୋଲି ଆଶାୟୀମାନଙ୍କ ମନରେ ଅଭିଯୁକ୍ତମାନେ ବିଶ୍ୱାସ ଜନ୍ମାଇଥିଲେ। ବୈକୁଣ୍ଠ ନାୟକ ନିଜକୁ ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ ଏବଂ ଭୀମସେନ୍‌ ମହାରଣା ଗୃହ ବିଭାଗର ଜଣେ ବଡ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ଆଶାୟୀମାନଙ୍କୁ ଏକ ନକଲି ଆଇକାର୍ଡ ମଧ୍ୟ ଦେଖାଇଥିଲେ। ସେହିପରି ଅନ୍ୟ ୨ଜଣ ଅଭିଯୁକ୍ତ ମଧ୍ୟ ଗୃହ ବିଭାଗର ବଡ ଅଧିକାରୀ ଓ ତାଙ୍କର ନେତା, ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି ଆଶାୟୀମାନଙ୍କୁ କହିଥିଲେ। ଆଶାୟୀମାନେ ଅଭିଯୁକ୍ତମାନଙ୍କୁ ବିଶ୍ୱାସ କରି ୨୦୨୦ରେ ବିଭିନ୍ନ ପର୍ଯ୍ୟାୟରେ ନଗଦ ଟଙ୍କା ଏବଂ ଅନ୍‌ଲାଇନ ମାଧ୍ୟମରେ ୧ କୋଟି ୪୭ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଅଭିଯୁକ୍ତମାନେ ଟଙ୍କା ନେଇ ଫେରାର ହୋଇଯିବାରୁ ଆଶାୟୀମାନେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.