banner
Breaking

ଦ୍ବିତୀୟ ମ୍ୟାଚ ଜିତିଲା ଭାରତ

0

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି।

ଭାରତ ୯ ଉଇକେଟ ହରାଇ ୨୩୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ହେଲେ ୨୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ ୪୬ ଓଭରରେ ୧୯୩ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା । ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ସାମାରା ବ୍ରୁକ୍ସ ସର୍ବାଧିକ ୪୪ ରନ୍‌ କରିଥିବା ବେଳେ ଅକିଲ ହୁସେନ ୩୪ ରନ୍‌ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ କ୍ରିଷ୍ଣା ୪ଟି ଉଇକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ୨ଟି ଉଇକେଟ ନେଇଥିଲେ ।

ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ୫ ରନ୍‌ କରି ଆଉଟ ହୋଇଯାଇଥିଲେ। ରିଷଭ ଓ ବିରାଟ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର ଉଭୟ ଖେଳାଳି ୧୮ ରନ ଲେଖାଏ କରି ପ୍ୟାଭିଲିୟନ ଫେରିବାରୁ ୧୨ ଓଭରରେ ୪୩ ରନ୍‌ ମଧ୍ୟରେ ଭାରତ ୩ଟି ଉଇକେଟ ହରାଇ ଅଡୁଆରେ ପଡିଯାଇଥିଲା। ହେଲେ ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ତୃତୀୟ ଉଇକେଟରେ ୧୦୬ ବଲ୍‌ରୁ ୯୦ ରନ ସଂଗ୍ରହ କରି ଇନିଂସ ସମ୍ଭାଳି ଥିଲେ। ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ରାହୁଲ ୪୮ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୯ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇଯାଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୮୩ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ସହାୟତାରେ ସର୍ବାଧିକ ୬୪ ରନ୍‌ କରିଥିଲେ। ଆଉଟ ହେବା ପୂର୍ବରୁ ସୂର୍ଯ୍ୟକୁମାର ୫ମ ଉଇକେଟରେ ଓ୍ବାଶିଂଟନ ସୁନ୍ଦରଙ୍କ ସହ ମୂଲ୍ୟବାନ ୪୩ ରନର ଭାଗୀଦାରି ଗଢ଼ିଥିଲେ। ସୁନ୍ଦର ୪୧ ବଲ୍‌ରୁ ୨୪ ଓ ଦୀପକ ହୁଦା ୨୫ ବଲ୍‌ରୁ ୨୯ ରନ କରିବାରୁ ଭାରତ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଆଲଜାରି ଜୋସେଫ ଓ ଓଡେନ ସ୍ମିଥ ୨ଟି ଲେଖାଏ ଉଇକେଟ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.