ଭାରତର ସେମିଫାଇନାଲରେ ପ୍ରବେଶ

ୱେଷ୍ଟଇଣ୍ଡିଜ୍‌ : ଚଳିତ ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌​‌େ​‌ର ୪ର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଶନିବାର ୪ର୍ଥ କ୍ବାର୍ଟରଫାଇନାଲରେ ଗତଥରର ଚମ୍ପିଆନ୍ ବାଂଲାଦେଶକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ୨୦୨୦ ବିଶ୍ବକପ୍‌ର ଫାଇନାଲରେ ଭାରତକୁ ପରାସ୍ତ କରିଥିବା ବାଂଲାଦେଶକୁ ବିଦାକରି ଭାରତୀୟ ଦଳ ପ୍ରତିଶୋଧ ନେଇପାରିଛି। ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୩୭.୧ ଓଭରରେ ୧୧୧ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ପରେ ୩୦.୫ ଓଭରରେ ୫ ୱିକେଟ ହରାଇ ଭାରତ ଜିତିଥିଲା। ଫେବୃଆରୀ ୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨ୟ ସେମିଫାଇନାଲ ଖେଳିବ। ୧ରେ ଇଂଲଣ୍ଡ-ଆଫ୍‌ଗାନିସ୍ତାନ ସେମିଫାଇନାଲ ମୁକାବିଲା ଖେଳାଯିବ।
ଟସ୍ ଜିତି ଭାରତ ଫିଲ୍‌ଡିଂ ନେବା ପରେ ବାଂଲାଦେଶ ନିୟମିତ ୱିକେଟ ହରାଇଥିଲା। ମାତ୍ର ୩୭ ରନ୍‌ରେ ବାଂଲାଦେଶ ୫ଟି ୱିକେଟ ହରାଇଥିଲା। ମେହ୍‌ରୋବ୍‌ ହୋସେନ୍‌ ୬ଟି ଚୌକା ସହ ୩୦ ରନ୍‌ କରିଥିଲେ। ଆଇଚ୍ ମୋଲ୍ଲା ୧୭ ଓ ଆସିକୁର୍‌ ଜମାନ୍ ୧୬ ରନ୍‌ କରିଥିଲେ। ଭାରତର ରବି କୁମାର ୩ଟି ଓ ଭିକି ଓସ୍ତୱାଲ ୨ଟି ୱିକେଟ ନେଇଥିଲେ। ୧୧୨ ରନ୍‌ ଲକ୍ଷ୍ୟରେ ଭାରତ ପ୍ରଥମ ଓଭରରେ ୱିକେଟ ହରାଇଥିଲା। ଫର୍ମରେ ଥିବା ହର୍‌ନୁର ସିଂହ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୨ୟ ୱିକେଟ ପାଇଁ ଆଙ୍ଗ୍‌କ୍ରିସ ରଘୁବଂଶୀ ଓ ସେକ୍ ରସିଦ୍‌ ଦାୟିତ୍ବର ସହ ଖେଳିଥିଲେ। ଦୁହେଁ ୭୦ ରନ୍‌ର ଭାଗିଦାରୀ କରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ଆଙ୍ଗ୍‌କ୍ରିସ ରଘୁବଂଶୀ ୬୫ ବଲ୍‌ରୁ ୭ଟି ଚୌକା ସହ ୪୪ ରନ୍‌ କରିଥିଲେ। ୭ଟି ବଲ୍‌ ପରେ ରସିଦ୍‌ ୫୯ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍‌କରି ବିଦାୟ ନେଇଥିଲେ। ସିଦ୍ଧାର୍ଥ ଯାଦବ ୬ ଓ ରାଜ ବାୱା ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଅଧିନାୟକ ଯଶ ଧୁଲ୍‌ ୨୦ ଓ କୌଶଳ ତାମ୍ବେ ୧୧ ରନ୍‌କରି ଅପରାଜିତ ଥିଲେ। ରିପନ୍ ମଣ୍ଡଳ ୪ଟି ୱିକେଟ ନେଇଥିଲେ।