ଆଇସିସି ଟେଷ୍ଟ ମାନ୍ୟତାରେ ତଳକୁ ଖସିଲା ଭାରତ

ଦୁବାଇ : ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଷ୍ଟ ଦଳଗତ ମାନ୍ୟତାରେ ଭାରତ ୩ୟ ସ୍ଥାନକୁ ଖସିଆସିଛି। ଗତ ପ୍ରକାଶିତ ମାନ୍ୟତାରେ ଭାରତ ୧ନଂ ଟେଷ୍ଟ ଦଳ ଭାବେ ରହିଥିଲା। ତେବେ ଆସେସ୍ ଶୃଙ୍ଖଳାରେ ଇଂଲଣ୍ଡ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାରକାରୀ ୪-୦ରେ ଶୃଙ୍ଖଳା ଜିତିବା ପରେ ଅଷ୍ଟ୍ରେଲିଆ ଦଳ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ପ୍ରଥମ ସଂସ୍କରଣର ବିଜେତା ନ୍ୟୁଜିଲାଣ୍ଡ ପୂର୍ବ ପରି ୨ୟ ସ୍ଥାନ ବଜାୟ ରଖିଛି। ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ​‌େ‌ଟଷ୍ଟ ଶୃଙ୍ଖଳାରେ ଭାରତ ୧-୨ରେ ପରାସ୍ତହେବା ପରେ ଦକ୍ଷିଣ ଆଫ୍ରିକା ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୫ମ ସ୍ଥାନରେ ପହଞ୍ଚିଛି।

ଆସେସ୍ ଶୃଙ୍ଖଳାରେ ପରାଜିତ ହେବା ପରେ ଇଂଲଣ୍ଡ ୪ର୍ଥ ସ୍ଥାନରେ ରହିଛି। ବ୍ରିସ୍‌ବେନ୍‌ରେ ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ଇଂଲଣ୍ଡ ୯ ୱିକେଟରେ, ଆଡିଲେଡ୍‌ରେ ୨୭୫ ରନ୍‌ରେ ଏବଂ ମେଲ୍‌ବୋର୍ଣ୍ଣରେ ଇନିଂସ ଓ ୧୪ ରନ୍‌ରେ ଜିତି ଶୃଙ୍ଖଳା ବିଜୟ ନିଶ୍ଚିତ କରିଥିଲା। ସିଡ୍‌ନୀରେ ୪ର୍ଥ ଟେଷ୍ଟମ୍ୟାଚ୍‌ ରୋମାଞ୍ଚକର ଭାବେ ଡ୍ର ରହିଥିବା ବେଳେ ୫ମ ତଥା ଅନ୍ତିମ ଟେଷ୍ଟରେ ହୋବାର୍ଟରେ ୩ୟ ଦିନରେ ଇଂଲଣ୍ଡ ପରାସ୍ତ ହୋଇଥିଲା। ୨୦୨୧ରେ ଭାରତ ମୋଟ ୧୪ଟି ଟେଷ୍ଟମ୍ୟାଚ୍‌ ଖେଳି ସେଥିରୁ ୮ଟିରେ ବିଜୟୀ ହୋଇଛି। ଭାରତ ୧୧୬ ପଏଣ୍ଟ ସହ ୩ୟ ସ୍ଥାନକୁ ଖସି ଆସିଥିବା ବେଳେ ୧୧୯ ପଏଣ୍ଟ ସହ ଅଷ୍ଟ୍ରେଲିଆ ପ୍ରଥମ ଓ ୧୧୭ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୨ୟ ସ୍ଥାନରେ ରହିଛନ୍ତି। ଏଣେ ପାକିସ୍ତାନ ଗୋଟିଏ ସ୍ଥାନ ଦଳକୁ ଖସି ୬ଷ୍ଠ ସ୍ଥାନରେ ଥିବା ବେଳେ ଏହା ପଛକୁ ୭ମରୁ ୧୦ମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ ଓ ଜିମ୍ବାୱେ।