banner
Breaking

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ

0

ପାର୍ଲ,୧୯/୧(ବ୍ୟୁରୋ): ସଂଘର୍ଷପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାର ସମାପ୍ତି ପରେ ବୁଧବାରଠାରୁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ବୋଲାଣ୍ଡ ପାର୍କରେ ଖେଳାଯିବ। ଟେଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକାର ବୋଲର ଦଳକୁ ଜିତାଇଥିଲେ। ପ୍ରଥମ ଟେଷ୍ଟରେ ବଡ଼ ପରାଜୟ ପରେ ପରବର୍ତ୍ତୀ ୨ଟି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଚମତ୍କାର ଢଙ୍ଗରେ ଶୃଙ୍ଖଳାକୁ ଫେରି ଉଭୟ ମ୍ୟାଚ୍‌ ଜିତିଥିଲା। ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ ଏହି ଶୃଙ୍ଖଳା ଖେଳିବ। ପୁଣି ଦିନିକିଆ ଅଧିନାୟକ ପଦରୁ ବିରାଟ କୋହଲି ବିଦାହେବା ପରେ ଏହା ପ୍ରଥମ ଦିନିକିଆ ଶୃଙ୍ଖଳା ହେବ। ରୋହିତ ଶର୍ମା ଆହତ ଥିବାରୁ ପ୍ରଥମଥର ପାଇଁ କେ.ଏଲ୍‌. ରାହୁଲ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ତେଣୁ ବିଜୟ ସହ ତାଙ୍କ ନେତୃତ୍ବର ଇନିଂସ ଆରମ୍ଭ କରିବାକୁ ରାହୁଲ ଚାହିଁବେ। ଗତଥର ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଦିନିକିଆ ଶୃଙ୍ଖଳାକୁ ୫-୧ରେ ଜିତିଥିଲା। ମୋଟଉପରେ କହିବାକୁ ଗଲେ ଏହି ଶୃଙ୍ଖଳା ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ।

୨୦୨୦ ଫେବୃଆରୀରେ ଅଷ୍ଟ୍ରେଲିଆକୁ ଦିନିକିଆ ଶୃଙ୍ଖଳାରେ ୩-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକା ଗୋଟିଏ ମଧ୍ୟ ଦିନିକିଆ ଶୃଙ୍ଖଳା ଜିତିନାହିଁ। ଆୟରଲାଣ୍ଡ ଭଳି ଦୁର୍ବଳ ଦଳ ସହ ଏହା ଶୃଙ୍ଖଳା ଡ୍ର ରଖିଥିବା ବେଳେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ତେବେ ଦକ୍ଷିଣ ଆଫ୍ରିକା ଦଳକୁ ଦୁର୍ବଳ ଭାବିବା ଠିକ୍‌ ହେବନାହିଁ। ଘରୋଇ ଦଳର ବ୍ୟାଟିଂ ବେଶ୍‌ ମଜ୍‌ଭୁତ ଅଛି। ଅଧିନାୟକ ତେମ୍ବା ବାଭୁମା ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ବ୍ୟାଟିଂ କରିଥିବା ବେଳେ ଭାରତ ଶୃଙ୍ଖଳା ମଧ୍ୟରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିବା କ୍ବିଣ୍ଟନ୍ ଡି କକ୍ ଦିନିକିଆରେ ଇନିଂସ ଓପନ୍‌ କରିବାକୁ ଯାଉଛନ୍ତି। ତାଙ୍କ ସହ ଜାନେମାନ୍ ମାଲାନ୍ ଓପନ୍‌ କରିବେ। ୨୦୨୧ରେ ମାଲାନ୍ ଅନ୍ୟତମ ସଫଳ ଦିନିକିଆ ବ୍ୟାଟ୍‌ସମ୍ୟାନ। ସେ ୧୦ଟି ଦିନିକିଆ ଇନିଂସରୁ ୩ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୬୬୧ ରନ୍‌ କରିଛନ୍ତି। ତାଙ୍କ ଦିନିକିଆ ଆଭ୍‌ରେଜ୍‌ ୮୨.୬୨। ଐଡେନ ମାର୍କରାମ ଟେଷ୍ଟ ଶୃଙ୍ଖଳାରେ ବିଫଳ ହୋଇଥିଲେ ହେଁ ଜଣେ ମ୍ୟାଚ୍‌ ବିଜେତା। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ମାର୍କରାମ ମଧ୍ୟକ୍ରମରେ ଖେଳି ଭଲ ପ୍ରଦର୍ଶନ କରିଥିଲେ। ତେଣୁ ସେ ୪ନଂ ସ୍ଥାନରେ ବ୍ୟାଟିଂ କରିବେ। ଫଳରେ ରାସି ଭାନ୍ ଡର୍ ଡ୍ୟୁସେନ୍‌ଙ୍କୁ ୫ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ିବ। ବାଭୁମା ୩ନଂ ସ୍ଥାନରେ ଖେଳି ଲମ୍ବା ଇନିଂସ ଖେଳିବାକୁ ଚାହିଁବେ। ଡେଭିଡ୍‌ ମିଲର ୬ନଂ ସ୍ଥାନରେ ଖେଳିବାର ଥିବାରୁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍ ବେଶ୍‌ ଲମ୍ବା ବୋଲି ଧରିନେବାକୁ ହେବ। ଦୁଇ ଅଲ୍‌ରାଉଣ୍ଡର ଡ୍ବେନ୍ ପ୍ରିଟୋରିଅସ୍‌ ଓ ଜର୍ଜ ଲିଣ୍ଡେଙ୍କ ମଧ୍ୟରୁ ଜଣେ ଖେଳିବେ। ତାବ୍ରେଜ୍ ସାମ୍‌ସି ବିଶେଷଜ୍ଞ ସ୍ପିନର ଭାବେ ଖେଳିବେ। ଦଳର ନିୟମିତ ସଦସ୍ୟ ଭାବେ କେବଳ ଫାଷ୍ଟବୋଲର ଆନ୍‌ରିଚ୍ ନୋର୍ଖିୟା ନାହାନ୍ତି।

ରୋହିତ ଶର୍ମା ଦଳରେ ନ ଥିବାରୁ ସେ ଓପନ୍‌ କରିବେ ବୋଲି ଭାରତୀୟ ଅଧିନାୟକ ରାହୁଲ ଘୋଷଣା କରିଛନ୍ତି। ଫଳରେ ଏବେ ଋତୁରାଜ ଗାଏକ୍‌ୱାଡ୍‌ଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଶିଖର ଧାୱନ୍ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୪ନଂ ସ୍ଥାନ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ। ବ୍ୟାଟିଂ ଅଲ୍‌ରାଉଣ୍ଡର ଭାବେ ଭେଙ୍କଟେଶ ଆୟର ଖେଳିପାରନ୍ତି। ପେସ୍ ବୋଲର ଭାବେ ସାର୍ଦୁଳ ଠାକୁର ଓ ଭୁବନେଶ୍ବର କୁମାରଙ୍କ ମଧ୍ୟରୁ ଜଣେ ଖେଳିବେ। ରାହୁଲ ପରୋକ୍ଷରେ ସୂଚନା ଦେଇଛନ୍ତି ଯେ ୨ ସ୍ପିନର ଖେଳିବେ। ଫଳରେ ଆର୍. ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ। ତେବେ ଏହି ମ୍ୟାଚ୍‌ରେ ସମସ୍ତ ନଜର ବ୍ୟାଟ୍‌ସମ୍ୟାନ ବିରାଟ କୋହଲିଙ୍କ ଉପରେ ରହିବ। ୭ ବର୍ଷ ପରେ ନେତୃତ୍ବ ଦାୟିତ୍ବରୁ ମୁକ୍ତହେବା ପରେ କୋହଲି କିପରି ବ୍ୟାଟିଂ କରୁଛନ୍ତି; ତାହା ଉପରେ ସମସ୍ତଙ୍କ ନଜର ରହିବ। ବୋଲାଣ୍ଡ ପାର୍କର ପିଚ୍‌ରେ କମ୍ ବାଉନ୍‌ସ ସହ ବ୍ୟାଟିଂ ସହାୟକ ହେବ। ପୁଣି ପଡ଼ିଆର ବାଉଣ୍ଡରୀ ଛୋଟ। ତେଣୁ ବୁଧବାରର ମ୍ୟାଚ୍‌ରେ ବଡ଼ ସ୍କୋର୍‌ର ଆଶା କରାଯାଉଛି। ଅତୀତରେ ମଧ୍ୟ ଏଠାରେ ବଡ଼ ସ୍କୋର୍ ଦେଖିବାକୁ ମିଳିଛି। ପାର୍ଲରେ ଏବେ ବହୁତ ଗରମ ଅନୁଭୂତ ହେଉଛି। ଆଉ ୩ଟି ୱିକେଟ ନେଲେ ୟୁଜବେନ୍ଦ୍ର ଚହଲ ୧୦୦ ଦିନିକିଆ ୱିକେଟ ପୂରଣ କରିବେ। ଏହି ଦିନିକିଆ ଶୃଙ୍ଖଳାରୁ ଦକ୍ଷିଣା ଆଫ୍ରିକା ଦ୍ରୁତ ବୋଲର ଫାଗିସୋ ରାବାଡାଙ୍କୁ ବିଶ୍ରାମ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.