ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ରବିବାରଠାରୁ ଆରମ୍ଭ ହେବ। ଭାରତ ବିରାଟ କୋହିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବାକୁ ଥିବା ବେଳେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବେ ଡିନ ଏଲଗାର।

ଅପରପକ୍ଷେ ଏହି ମ୍ୟାଚ୍‌ରେ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କ ବିନା ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବାକୁ ଯାଉଛି। କାରଣ ଆହତ କାରଣରୁ ଖେଳାଳିମାନେ ବାହାର ହୋଇଛନ୍ତି।  ଭାରତୀୟ ଦଳ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ କୌଣସି ଟେଷ୍ଟ ସିରିଜ୍‌ ଜିତି ନାହିଁ। ଏଣୁ ଏହି ସିରିଜ୍‌ ଜିତି ଭାରତ ଇତିହାସ ରଚିବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରଥମ ଟେଷ୍ଟ ମ୍ୟାଚର ସିଧା ପ୍ରସାରଣ କେବେ ଏବଂ କେଉଁଠାରେ ଦେଖିପାରିବେ?

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ୨୬ ଡିସେମ୍ବର (ରବିବାର)ଠାରୁ ଆରମ୍ଭ ହେବ। ସେଞ୍ଚୁରିଅନର ସୁପରପୋର୍ଟ ପାର୍କ ଷ୍ଟାଡିୟମରେ ଭାରତୀୟ ସମୟାନୁଯାୟୀ ଅପରାହ୍ନ ୧:୩୦ ରେ ମ୍ୟାଚ୍‌ ଆରମ୍ଭ ହେବ । ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କରେ ଆପଣ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ ଲାଇଭ୍‌ ଦେଖିପାରିବେ। ଡିସ୍ନି ପ୍ଲସ ହଟଷ୍ଟାର୍‌ ଆପରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଲାଇଭ ଷ୍ଟ୍ରିମିଂ ଦେଖିବାକୁ ମିଳିବ।