banner
Breaking

ପ୍ରଥମ ସ୍ଥାନରେ ବିରାଟ କୋହଲି।

0

ଦୁବାଇ,୧।୪ : ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ବୋଲିଂ ତାଲିକାରେ ଯଶପ୍ରୀତ ବୁମ୍‌ରା ଚତୁର୍ଥ ସ୍ଥାନକୁ ଖସିଛନ୍ତି। ବୁଧବାର ପ୍ରକାଶିତ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ କୋହଲି ୮୭୦ ପଏଣ୍ଟ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ସେ ଯଥାକ୍ରମେ ୫୬ ଓ ୬୬ ରନ ସଂଗ୍ରହ କରି ର଼୍ୟାଙ୍କିଙ୍ଗ୍‌ରେ ନିଜର ପ୍ରଭୁତ୍ୱ ଜାରି ରଖିଛନ୍ତି।
ଇଂଲଣ୍ଡ ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜରେ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିଲା। ଫଳରେ ୬୯୦ ପଏଣ୍ଟ ସହ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଲୋକେଶ ରାହୁଲ ୩୧ରୁ ୨୭ତମ ସ୍ଥାନକୁ ଉନ୍ନତି କରିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ୪୨ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶ୍ରେଷ୍ଠ ୧୦୦ରେ ପ୍ରବେଶ କରିଛନ୍ତି।
ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଅନ୍ତିମ ମ୍ୟାଚ୍‌ରେ ୪୨ ରନ ଦେଇ ୩ ଉଇକେଟ ନେବା ସହ ୯ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି। ତେବେ ସେ ୨୦୧୭ ସେପ୍ଟେମ୍ବରରେ କ୍ୟାରିୟର ଶ୍ରେଷ୍ଠ ଦଶମ ସ୍ଥାନ ଅଧିକାର କରିଥିଲେ। ସେହିପରି ଅନ୍ତିମ ଦିନିକିଆରେ ଶାର୍ଦ୍ଦୁଳ ଠାକୁର ୬୭ ରନ ବ୍ୟୟ କରି ୪ ଉଇକେଟ ନେବା ସହ ୯୩ରୁ ୮୦ତମ ସ୍ଥାନକୁ ଉଠିଛନ୍ତି।
ଅପରପକ୍ଷରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୨୪ତମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ଦିନିକିଆରେ ସେ ୫୨ବଲରୁ ୯୯ ରନ କରିଥିଲେ। ତେବେ ଅଲରାଣ୍ଡର ତାଲିକାରେ ସେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ସେହିପରି ଜନି ବେୟାରଷ୍ଟୋ ଦ୍ୱିତୀୟ ଦିନିକିଆରେ ୧୨୪ ରନର ଶତକୀୟ ପାଳି ଖେଳି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହେବା ସହ ୭୯୬ ପଏଣ୍ଟ ହାସଲ କରି ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ମୋଇନ ଅଲି ୯ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୪୬ତମ ସ୍ଥାନ ଅଧିକାର କରିଛନ୍ତି।
ଟି୨୦: ରାହୁଲ, କୋହଲି ଖସିଲେ
ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଉଭୟ ରାହୁଲ ଓ କୋହଲିଙ୍କ ଅବନତି ଘଟିଛି। ଉଭୟେ ଗୋଟିଏ ସ୍ଥାନ ତଳକୁ ଖସି ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂ ଓ ଅଲରାଉଣ୍ଡର ତାଲିକାରେ କୌଣସି ଭାରତୀୟ ଶ୍ରେଷ୍ଠ-୧୦ରେ ସ୍ଥାନ ପାଇନାହାନ୍ତି।
ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନ ବଜାୟ ରଖିଲେ ଅଶ୍ୱିନ
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ କୁମିନ୍ସ ଶୀର୍ଷରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ରହିଥିବା ବେଳେ ଅଶ୍ୱିନ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ବ୍ୟାଟିଂ ତାଲିକାରେ କୋହଲି ପୂର୍ବପରି ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ରୋହିତ ଯୁଗ୍ମଭାବେ ସପ୍ତମ ସ୍ଥାନରେ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.