banner
Breaking

ଟିମ୍ ଇଣ୍ଡିଆ ବିଜୟୀ।

0

ପୁଣେ,୨୩।୩: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ ଦିନିକିଆ ସିରିଜ୍‌ ଆରମ୍ଭ କରିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ କ୍ରିକେଟରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୬୬ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ଏଥି ସହିତ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି । ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଟିମ୍‌ ଇଣ୍ଡିଆ ପକ୍ଷରୁ ପଦାର୍ପଣ କରିଥିବା ଦୁଇ ଖେଳାଳିଙ୍କ ଚମକ। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ରେକର୍ଡ ଭଙ୍ଗକାରୀ ଅର୍ଦ୍ଧଶତକ ସହ ଗୋଟିଏ ଉଇକେଟ ନେଇଥିଲେ। ଆଉ ପ୍ରସିଦ୍ଧ କ୍ରିଷ୍ଣା ହାତେଇଥିଲେ ସର୍ବାଧିକ ୪ ଉଇକେଟ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆକୁ ୬୪ ରନ୍‌ ଆରମ୍ଭ ଦେଇଥିଲା ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କ ଓପନିଂ ଯୋଡ଼ି। ରୋହିତ (୨୮) ଆଉଟ୍‌ ହେବା ପରେ ଧାଓ୍ବନ ଓ କୋହଲି ଦ୍ୱିତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୫ ରନ୍‌। କୋହଲି(୫୬) ଅର୍ଦ୍ଧଶତକ ପୂରଣ କରି ଆଉଟ୍‌ ହୋଇଥିବାବେଳେ ଦୁର୍ଭାଗ୍ୟବଶତଃ ଧାଓ୍ବନ (୯୮) ଅଳ୍ପକେ ହାତଛଡ଼ା କରିଥିଲେ ଶତକ। ଏହାପରେ ପଦାର୍ପଣକାରୀ କ୍ରୁନାଲ (୫୮*) ଓ ଲୋକେଶ ରାହୁଲ (୬୨*) ୬ଷ୍ଠ ଉଇକେଟ ବିସ୍ଫୋରକ ୧୧୨ ରନ୍‌ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଜବାବରେ ଇଂଲଣ୍ଡକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଜନ୍ନି ବେଆରଷ୍ଟୋ ଓ ଜାସନ ରୟ। ଦୁହେଁ ମାତ୍ର ୧୪ ଓଭରରେ ୧୩୫ ରନ୍‌ କରିଥିଲେ। ଲାଗୁଥିବା ଟିମ୍‌ ଇଣ୍ଡିଆ ପକ୍ଷରୁ ଧାର୍ଯ୍ୟ ଟାର୍ଗେଟ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ଆଗରେ କମ୍‌ ପଡ଼ିବ। ମାତ୍ର ଏହି ଯୋଡ଼ି ଭାଙ୍ଗିବା ପରେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଛିଡ଼ା ହୋଇ ପାରି ନ ଥିଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ। ଫଳରେ ୪୨.୧ ଓଭରରେ ୨୫୧ ରନ୍‌ରେ ସୀମିତ ରହିଥିଲା ଇଂଲଣ୍ଡ ଦଳ। ବେଆରଷ୍ଟୋ ୯୪, ଜାସନ ରୟ ୪୬ ଓ ମୋଏନ ଅଲି ୩୦ ରନ୍‌ କରିଥିଲେ। ପ୍ରସିଦ୍ଧ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ୩ ଓ ଭୁବନେଶ୍ୱର କୁମାର ୨ ସଫଳତା ପାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.