banner
Breaking

ସ୍ବାଧୀନତା ଦିବସରେ କ୍ରିକେଟରୁ ଅବସର ନେଲେ ଧୋନୀ।

0

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଧୋନୀ ଅବସର ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଭଲପାଇବା ଓ ସମର୍ଥନ ଯୋଗୁ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ଧୋନୀ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଥିଲେ। ଶେଷଥର ପାଇଁ ଧୋନୀ ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ଖେଳିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ତାଙ୍କର ଥିଲା ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌। ଅବସର ଘୋଷଣା ସତ୍ତ୍ୱେ ଧୋନୀ ଆଗାମୀ ଆଇପିଏଲ୍‌-୧୩ରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୪ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଧୋନୀ ଭାରତ ପକ୍ଷରୁ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୪,୮୭୬, ଦିନିକିଆରେ ୧୦,୭୭୩ ଓ ଟି୨୦ରେ ୧,୬୧୭ ରନ ସଂଗ୍ରହ କରିଛନ୍ତି। ମୋଟ୍‌ ଉପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୧୭ ହଜାରରୁ ଊର୍ଦ୍ଧ୍ୱ ରନ୍‌ ତାଙ୍କ ନାମରେ ରହିଛି। ସେହିଭଳି ସେ ଟେଷ୍ଟରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ଏବଂ ଦିନିକିଆରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ଟି୨୦ରେ ତାଙ୍କ ନାମରେ ୨ଟି ଅର୍ଦ୍ଧଶତକ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.