banner
Breaking

ଦିନିକିଆ ସିରୀଜ ହାରିଲା ଭାରତ।

0

ଅକ୍‌ଲାଣ୍ଡ, ୮।୨(ବ୍ୟୁରୋ): ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ ହାତଛଡ଼ା କରିଛି ଭାରତ। ଦ୍ବିତୀୟ ଦିନିକିଆରେ ୨୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍‌ ଇଣ୍ଡିଆ ୨୫୧ ରନରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ୨ଟି ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ କବ୍‌ଜା କରିନେଇଛି। ୨ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୨୨ ରନରେ ପରାସ୍ତ କରିଛି। ଦ୍ବିତୀୟ ଦିନିକିଆରେ ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା। ଦୁଇ ଓପନର ମାର୍ଟିନ ଗୁପଟିଲ ଏବଂ ହେନରୀ ନିକୋଲ୍‌ସ ପ୍ରଥମ ୱିକେଟରେ ୯୩ ରନ୍‌ର ଭାଗିଦାରି କରିଥିଲେ। ନିକୋଲ୍‌ସ ଆଉଟ୍‌ ହୋଇଯିବା ପରେ ଟମ୍‌ ବ୍ଲଣ୍ଡେଲ ଏବଂ ଗୁପ୍‌ଟିଲ ୨ ୱିକେଟ୍‌ ପାର୍ଟନରଶିପରେ ୪୯ ରନ୍‌ ଯୋଡ଼ିଥିଲେ। ୧୪୨ ରନରେ ଟମ୍‌ ବ୍ଲଣ୍ଡେଲ ଏବଂ ୧୫୭ ରନରେ ଗୁପଟିଲ ଆଉଟ ହୋଇଯାଇଥିଲେ। ଏହା ପରେ ଦଳ କ୍ରମାଗତ ୱିକେଟ ପତ୍ତନ ଘଟିଥିଲା। ଦଳ ୧୯୭ ରନରେ ୮ ୱିକେଟ ହରାଇ ସାରିଥିଲା। ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡକୁ ୨୨୦ ରନରେ ଅଟକାଇବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ରସ୍‌ ଟେଲର ଏବଂ ଜାମିଶନ ଦଳ ଆଉ କୌଣସି କ୍ଷତି ହେବାକୁ ନ ଦେଇ ସ୍କୋରକୁ ୨୭୩ ରନରେ ପହଞ୍ଚାଇଥିଲେ।

୨୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ହରାଇ ଚାଲିଥିଲା। ଦଳର ଓପନିଂ ଯୋଡ଼ି ସମେତ ମିଡିଲ ଅର୍ଡର ମଧ୍ୟ ବିଫଳ ହୋଇଥିଲା। ଦଳ ପକ୍ଷରୁ କେବଳ ଶ୍ରେୟସ ଆୟାର ଭଲ ପ୍ରଦର୍ଶନ କରି ସର୍ବାଧିକ ୫୨ ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ। ଦଳ ୩୧.୧ ଓଭରରେ ୭ ୱିକେଟ ବିନିମୟରେ ୧୫୩ ରନ୍‌ କରିଥିଲା। ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ଆଶା ସମ୍ପୂର୍ଣ୍ଣ ମଉଳି ଯାଇଥିଲା। କିନ୍ତୁ ରବୀନ୍ଦ୍ର ଜାଡେଜା ଏବଂ ନବଦୀପ ସଇନି ୮ମ ୱିକେଟରେ ୮୬ ରନ୍‌ କରି ଦଳର ବିଜୟ ଆଶା ଉଜ୍ଜୀବିତ କରିଥିଲେ। କିନ୍ତୁ ସଇନି ଆଉଟ୍‌ ହୋଇଯିବା ପରେ ପରେ ୟୁଜଭେନ୍ଦ୍ର ଚହଲ କିଛି ସମୟ ପାଇଁ ତିଷ୍ଠି ରହିଥିଲେ। ସେ ଆଉଟ୍‌ ହେବା ପରେ ଜାଡେଜା ବଟ୍‌ ଶଟ୍‌ ଖେଳିବାକୁ ଯାଇ ଆଉଟ୍‌ ହୋଇଯାଇଥିଲେ। ୪୮.୩ ଓଭରରେ ଦଳ ସମସ୍ତ ୱିକେଟ୍‌ ହରାଇ ୨୫୧ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.