banner
Breaking

ସୁପର ଓଭରରେ ଭାରତର ଚମତ୍କାର ବିଜୟ ସହିତ ଟି୨୦ ସିରିଜ।

0

ହାମିଲଟନ,୨୯।୧(ଓଡ଼ିଆ ନ୍ୟୁଜ) ହାମିଲଟନ ଠାରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ତୃତୀୟ ଟି୨୦ ମ୍ୟାଚ୍‌କୁ ସୁପର ଓଭରରେ ଛକା ମାରି ଓପନର ରୋହିତ ଶର୍ମା ଭାରତୀୟ ଦଳକୁ ଜିତାଇ ଦେଇଛନ୍ତି। ମ୍ୟାଚଟି ଟାଇ ହେବାପରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ନ୍ୟୁଜିଲାଣ୍ଡ ପକ୍ଷରୁ କେନ ଓ୍ବିଲିୟମସନ ଓ ମାର୍ଟିନ ଗୁପଟିଲ ବ୍ୟାଟିଂ କରିବାକୁ ଆସିଥିବାବେଳେ ଭାରତ ଲାଗି ଯଶପ୍ରୀତ ବୁମରା ବୋଲିଂ ମଙ୍ଗ ସମ୍ଭାଳିଥିଲେ। ଏହି ଓଭରରେ ଗୋଟିଏ ଛକା ଓ ଦୁଇ ଚୌକା ବଳରେ ନ୍ୟୁଜିଲାଣ୍ଡ ୧୭ ରନ୍‌ କରିଥିଲା। ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିଲେ ଭାରତୀୟ ଓପନର ରୋହିତ ଓ ରାହୁଲ। ଦୁହିଁଙ୍କ ସାମ୍ନାରେ ଥିଲେ ନ୍ୟୁଜିଲାଣ୍ଡ ଦଳର ସବୁଠୁ ଅଭିଜ୍ଞ ପେସର ଟିମ ସୌଦି। ପ୍ରଥମ ୪ ବଲରେ ଭାରତ ୮ ରନ୍‌ କରିବା ପରେ ବଳକା ଦୁଇ ବଲରେ ଜିତିବା ପାଇଁ ୧୦ ରନ୍‌ ଦରକାର ଥାଏ। ଓଭର ୫ମ ବଲକୁ ରୋହିତ ଡିପ ସ୍କୋୟାର ଲେଗ ଅଞ୍ଚଳକୁ ଛକା ମାରିଥିଲେ। ଅନ୍ତିମ ବଲକୁ ରୋହିତ ଲଙ୍ଗ ଅଫ୍‌ ଅଞ୍ଚଳକୁ ଛକା ମାରି ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡରେ ପ୍ରଥମ ସିରିଜ୍‌ ଭେଟି ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିଥିଲା। ରୋହିତ ଶର୍ମା(୬୫) ଅର୍ଦ୍ଧଶତକ ହାସଲ କରିଥିବାବେଳେ ବିରାଟ କୋହଲି ୩୮ ଓ ଲୋକେଶ ରାହୁଲ ୨୭ ରନ୍‌ କରିଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ହାମିଶ ବେନେଟ ୩ ଉଇକେଟ ନେଇଥିଲେ। ଜବାବରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ୯୫ ରନ୍‌ର ଇନିଂସ ଯୋଗୁ ନ୍ୟୁଜିଲାଣ୍ଡ ଶେଷ ପର୍ଯ୍ୟନ୍ତ ଖେଳି ୬ ଉଇକେଟ ହରାଇ ସମାନ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.