banner
Breaking

ରେକଡ ସହ ଭାରତ ୨-୦ରେ ଜିତିଲା ଟେଷ୍ଟ ସିରିଜ୍।

0

ପୁଣେ,୧୩।୧୦- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏକ ଇନିଂସ ଓ ୧୩୭ ରନ୍‌ରେ ଜିତିନେଇଛି। ପ୍ରଥମ ଇନିଂସରେ ଭାରତୀୟ ଦଳ ୬୦୧ ରନ୍‌ କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୭୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଲୋଅନ ପାଇଥିବା ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୧୮୯ ରନ୍‌ରେ ସୀମିତ ରହିଛି। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ ବ୍ୟବଧାନରେ ଆଗୁଆ ଜିତିନେଇଛି। ଅନ୍ତିମ ମ୍ୟାଚ୍‌ ୧୯ ତାରିଖରୁ ରାଞ୍ଚିଠାରେ ଖେଳାଯିବ।
ଚତୁର୍ଥ ଦିନର ପ୍ରଥମ ଓଭରରେ ଏଡେନ ମାରକ୍ରାମ(୦)ଙ୍କୁ ଈଶାନ୍ତ ଶର୍ମା ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ତାଙ୍କ ପରେ ଥେଉନିସ ଡେ ବ୍ରୁଇନ (୮) ଉମେଶ ଯାଦବଙ୍କ ଶିକାର ହୋଇଥିଲେ। ଅଧିନାୟକ ଫାଫ ଡୁ ପ୍ଲେସି ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ଉଇକେଟକିପର ରିଦ୍ଦିମାନ ଶାହଙ୍କ ହତାରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ଅଶ୍ୱିନ ତାଙ୍କର ପରବର୍ତ୍ତୀ ଓଭରରେ ସେଟ୍‌ ହୋଇସାରିଥିବା ଡିନ ଏଲାଗର (୪୮)ଙ୍କୁ ପ୍ୟାଭେଲିଅନ ରାସ୍ତା ଦେଖାଇଥିଲେ। ସେହିଭଳି କ୍ୱିଣ୍ଟନ ଡିକକ୍‌ ୫ ଏବଂ ସେନୁରାନ ମୁଥୁସାମି ୯ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ଭନର୍ନ ଫିଲାଣ୍ଡର (୩୭) ଓ କେଶବ ମହାରାଜ (୨୨) ଭାରତୀୟ ବୋଲରଙ୍କୁ ବିଜୟ ଲାଗି ଅପେକ୍ଷା କରାଇଥିଲେ। ଦୁହେଁ ୮ମ ଉଇକେଟ ପାଇଁ ୫୬ ରନ୍‌ ଯୋଡ଼ିଥିଲେ। ଉଭୟ ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଶେଷ ହୋଇଯାଇଥିଲା। ବିଜୟୀ ଦଳ ପାଇଁ ଯାଦବ ଓ ଜାଡେଜା ୩ ଉଇକେଟ ଲେଖାଏ ନେଇଥିବାବେଳେ ଅଶ୍ୱିନ ୨ ସଫଳତା ପାଇଥିଲେ। ଏଥିସହିତ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦେଶରେ କ୍ରମାଗତ ୧୧ଟି ସିରିଜ୍‌ ଜିତି ରେକର୍ଡ କରିଛି। ପୂର୍ବରୁ ଘରୋଇ ସିରିଜ୍‌ରେ କ୍ରମାଗତ ଜିତିବାର ରେକର୍ଡ ଅଷ୍ଟ୍ରେଲିଆ ନାମରେ ଥିଲା।

Khansweb Solution Bhubaneswar

Leave A Reply

Your email address will not be published.