banner
Breaking

ସେମିଫାଇନାଲରେ ଭାରତୀୟ ମହିଳା ଟିମ୍

0

ଦକ୍ଷିଣ ଆଫ୍ରିକା : ଚଳିତ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ମ୍ୟାଚରେ ଭାରତ ଡକ୍‌ଓ୍ବର୍ଥ ଲୁଇସ ନିୟମରେ ଆୟର୍ଲାଣ୍ଡକୁ ୫ ରନରେ ପରାସ୍ତ କରିଛି। ଏଥିସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ କରିଥିଲା। ଜବାବରେ ଆୟର୍ଲାଣ୍ଡ ୮.୨ ଓଭରରେ ୨ ଉଇକେଟ ହରାଇ ୫୪ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଆଉ ଖେଳ ସମ୍ଭବ ନ ହେବାରୁ ଫଳାଫଳ ପାଇଁ ଡକ୍‌ଓ୍ବର୍ଥ ଲିଓ୍ବିସ ନିୟମ ପ୍ରଣୟନ କରାଯାଇଥିଲା। ଏଥିରେ ଆୟର୍ଲାଣ୍ଡ ୫ ରନ ପଛରେ ରହିଯାଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା ଓପନିଂ ଯୋଡ଼ିରେ ୫୭ ବଲ୍‌ରୁ ୬୨ ରନ ଯୋଗକରି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ମ୍ୟାଚର ୧୦ମ ଓଭରରେ ଶେଫାଳି ବ୍ୟକ୍ତିଗତ ୨୪ (୨୯ ବଲ, ୩ ଚୌକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଆୟର୍ଲାଣ୍ଡ ଅଧିନାୟିକା ଲୌରା ଡେଲାନି ଦଳକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ମିଡିଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ମନ୍ଧାନା କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଧିନାୟିକା ହରମନପ୍ରୀତ କୌରଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଥିଲା। ସେ ୨୦ ବଲ୍‌ରୁ ମାତ୍ର ୧୩ ରନ କରି ପାରିଥିଲେ। ତେବେ ପ୍ରଥମ ଭାରତୀୟ ମହିଳା ଭାବେ ସେ ଟି୨୦ ଅନ୍ତର୍ଜାତୀୟରେ ୩୦୦୦ ରନ ପୂରଣ କରିଥିଲେ। ସେହିପରି ୧୫୬ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ପ୍ରଥମ ଓଭରରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆମି ହଣ୍ଟର ୧ ରନକରି ରନ୍‌ଆଉଟ ହୋଇଥିବା ବେଳେ ଓର୍ଲା ପ୍ରେଣ୍ଡରଗାଷ୍ଟଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇଥିଲେ ରେଣୁକା ସିଂ। ତେବେ ୮.୨ ଓଭରରେ ଆୟର୍ଲାଣ୍ଡ ୨ଉଇକେଟ ହରାଇ ୫୪ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଡକ୍‌ଓ୍ବର୍ଥ ଲିଓ୍ବିସ ନିୟମ ଅନୁସାରେ ଏହା ବିଜୟ ଲକ୍ଷ୍ୟଠାରୁ ୫ ରନ୍‌ କମ୍‌ ଥିଲା। ବିଜୟୀ ହେବାପାଇଁ ଦଳକୁ ଏହି ସମୟରେ ଅତିକମ୍‌ରେ ୫୯ ରନ କରିବା ଆବଶ୍ୟକ ହେଉଥିଲା। ସୂଚନାଯୋଗ୍ୟ, ଭାରତ ୪ ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ସମସ୍ତ ୪ଟି ଯାକ ମ୍ୟାଚ ହାରି ଅଭିଯାନ ଶେଷ କରିଛି। ମଙ୍ଗଳବାର ଇଂଲଣ୍ଡ-ପାକିସ୍ତାନ ମ୍ୟାଚପରେ ଗ୍ରୁପ୍‌ ‘ବି’ରୁ କେଉଁ ଦଳ ଶୀର୍ଷସ୍ଥାନ ଅଧିକାର କରିବ ସ୍ପଷ୍ଟ ହେବା ପରେ ସେମିଫାଇନାଲ ଲାଇନ୍‌ଅପ୍‌ ସ୍ଥିର ହେବ। ଇଂଲଣ୍ଡ ୩ ମ୍ୟାଚରୁ ୬ ପଏଣ୍ଟ ପାଇ ସାରିଛି।

Khansweb Solution Bhubaneswar

Leave A Reply

Your email address will not be published.