banner
Breaking

ଟି୨୦ (୧୯) ମହିଳା ବିଶ୍ବକପ୍ ଫାଇନାଲରେ ଭାରତ

0

ଦକ୍ଷିଣ ଆଫ୍ରିକା : ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଅଧିନାୟକା ଶେଫାଳୀ ବର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୧୦୭ ରନ କରିଥିଲା। ପାର୍ଶଭି ଚମତ୍କାର ବୋଲିଂ କରି ୨୦ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଏହି ୧୬ ବର୍ଷୀୟ ଲେଗ୍‌ ସ୍ପିନର ନ୍ୟୁଜିଲାଣ୍ଡ ବ୍ୟାଟିଂ ଲାଇନ୍‌ଅପ୍‌ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୧୩ତମ ଓଭର ବେଳକୁ ୭୪ ରନରେ ୫ ଉଇକେଟ ହରାଇଥିଲା। ଟିଟାସ ସାଧୁ, ମନତ କାଶ୍ୟପ, ଶେଫାଳି ଓ ଅର୍ଚ୍ଚନା ଦେବୀ ପ୍ରତ୍ୟେକ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ସେନଓ୍ବେସ୍‌ ପାର୍କଠାରେ ଖେଳାଯାଇଥିବା ଏହି ମ୍ୟାଚରେ ରନ ସଂଗ୍ରହ ପାଇଁ ସଂଘର୍ଷ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଜର୍ଜିଆ ପ୍ଲିମର (୩୫), ଇସାବେଲା ଗେଜ୍‌ (୨୬), ଇଜି ଶାର୍ପ (୧୩) ଓ କେଲେ ନାଇଟ୍‌ (୧୨) କେବଳ ଦୁଇ ଅଙ୍କ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଶେରାଓ୍ବତଙ୍କ ଅପରାଜିତ ୬୧ ରନ (୪୫ ବଲ୍‌, ୧୦ ଚୌକା) ସହାୟତାରେ ଭାରତ ୧୦୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ଶେଫାଳି ମାତ୍ର ୧୦ ରନ କରି ଆଉଟ ହୋଇଯିବା ପରେ ଶେରାଓ୍ବତ ଓ ସୌମ୍ୟା ତିଓ୍ବାରୀ (୨୨) ୬୨ ରନ ଯୋଗ କରି ଦଳ ପାଇଁ ବିଜୟ ପଥ ପରିଷ୍କାର କରିଥିଲେ। ଶେରାଓ୍ବତ ଓ ଗୋଙ୍ଗାଡି ତ୍ରିଶା (୫) ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଭାରତ ୧୪.୨ ଓଭରରେ ୨ ଉଇକେଟ ବିନିମୟରେ ୧୧୦ ରନ କରିଥିଲା। ତିନୋଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିବା ପାର୍ଶଭି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଭାରତ ଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଅନ୍ୟ ସେମିଫାଇନାଲ ବିଜେତାକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ମହିଳା ଦଳ: ୨୦ ଓଭରରେ ୧୦୭/୯ (ଜର୍ଜିଆ ପ୍ଲିମର-୩୫; ପାର୍ଶଭି ଚୋପ୍ରା-୩/୨୦)।
ଭାରତ ମହିଳା ଦଳ: ୧୪.୨ ଓଭରରେ ୧୧୦/୨ (ଶ୍ୱେତା ଶେରାଓ୍ବତ-୬୧; ଆନ୍ନା ବ୍ରାଉନିଂ (୨/୧୮)।

Khansweb Solution Bhubaneswar

Leave A Reply

Your email address will not be published.