banner
Breaking

ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଅଣକୋଭିଡ ରୋଗୀଙ୍କ ସ°ଖ୍ୟା ବଢିଚାଲିଛି।

0

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ପରଠୁ ରାଜ୍ୟରେ ହୃଦ୍‌ରୋଗୀଙ୍କ ସଂଖ୍ୟା ୧୦ରୁ ୨୦% ବୃଦ୍ଧିପାଇଛି। ଚିକିତ୍ସାରେ ଅବହେଳା ଓ ବିଳମ୍ବରେ ରୋଗ ଚିହ୍ନଟ ଯୋଗୁ ଅଧିକ ସଂଖ୍ୟକ ହୃଦ୍‌ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଠିକ୍‌ ସମୟରେ ଚିକିତ୍ସା ପାଇଥିଲେ ସେମାନେ ସୁସ୍ଥ ହୋଇପାରିଥାନ୍ତେ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣ ହୃଦ୍‌ରୋଗ ହୋଇଥିବାବେଳେ ଦେଶରେ ପ୍ରତ ୪ଜଣରେ ଜଣେ ଏଥିପାଇଁ ଜୀବନ ହରାଇଥାନ୍ତି।
ଏ ସମ୍ପର୍କରେ କେୟାର ହସ୍ପିଟାଲ୍‌ର ବରିଷ୍ଠ କନସଲଟାଣ୍ଟ୍‌ ଡ. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଡ. ଗିରିଧର ଜେନା କହିଛନ୍ତି, ହୃଦ୍‌ରୋଗରେ ପୀଡ଼ିତ ବ୍ୟକ୍ତି କୋଭିଡ୍‌ ମହାମାରୀ କାରଣରୁ ଚିକିତ୍ସାରେ ବିଳମ୍ବ କରିବା ଅନୁଚିତ। ହୃଦ୍‌ରୋଗୀମାନେ ଶାରୀରିକ, ମାନସିକ ଭାବେ ନିଜର ଅଧିକ ଯତ୍ନ ନେବା ଦରକାର। ସେହିଭଳି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ପ୍ରୋଟୋକଲ୍‌ ମାନି ଚଳିବା ଦରକାର। ଯୋଗ, ବ୍ୟାୟାମ କରିବା, ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା, ଶୋଇବା, ଔଷଧ ନିୟମିତ ଖାଇବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନି ଚଳିବା ଏବଂ ସକାରାତ୍ମକ ମନୋଭାବ ରଖିବା ଦ୍ୱାରା ହୃଦ୍‌ରୋଗୀମାନେ ନିଜକୁ ସୁସ୍ଥ ରଖିପାରିବେ ଏବଂ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହେବାରୁ ନିଜକୁ ସୁରକ୍ଷା ଦେଇପାରିବେ ବୋଲି ଡ. ତ୍ରିପାଠୀ କହିଛନ୍ତି। କେୟାର ହସ୍ପିଟାଲସ୍‌ର ଇଣ୍ଟରଭେନ୍‌ଶନାଲ୍‌ କାର୍ଡିଓଲୋଜିଷ୍ଟ ଡ. ଗିରିଧର ଜେନା କହିଛନ୍ତି, କୋଭିଡ୍‌ ପାଇଁ ହୃଦ୍‌ ଓ ତତ୍‌ ସଂକ୍ରାନ୍ତୀୟ ରୋଗରେ ପିଡ଼ିତ ଥିବା ପ୍ରାୟ ଅଧା ରୋଗୀ ମେଡିକାଲ୍‌ ଚିକିତ୍ସା ପାଇପାରୁନାହାନ୍ତି କିମ୍ବା ହସ୍ପିଟାଲ ଯିବାକୁ ଚାହୁଁନାହାନ୍ତି। ତେଣୁ ହସ୍ପିିଟାଲ୍‌ରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ହୃଦ୍‌ଘାତ ଯୋଗୁ ଘରେ ରହି ମୃତ୍ୟୁମୁଖରେ ପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚିନ୍ତାର ସବୁଠାରୁ ବଡ଼ କାରଣ ହେଉଛି, ଗମ୍ଭୀର ହୃଦ୍‌ ସମସ୍ୟା ସତ୍ତ୍ୱେ ରୋଗୀମାନେ ଚିକିତ୍ସାରେ ବିଳମ୍ବ କରୁଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଆହୁରି ବିଗାଡ଼ି ଦେଉଥିବା ସେ କହିଛନ୍ତି। ତେଣୁ ହୃଦ୍‌ରୋଗରେ ପୀଡ଼ିତ ଲୋକମାନେ ଚିକିତ୍ସାରେ ବିଳମ୍ବ କରିବା ଅନୁଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.